Categories: ଜାତୀୟ

ନୁହରେ ଚାଲୁ ହେଲା ଇଣ୍ଟରନେଟ ସେବା

ନୁହ,୧୪।୮: ହରିୟାଣାର ନୁହ ଜିଲାରେ ଦୁଇ ସପ୍ତାହ ପରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି। ଜିଲାରେ ୩୧ ଜୁଲାଇରେ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସା ହୋଇଥିଲା, ଏହାପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି । ତେବେ ପ୍ରଶାସନ ଦ୍ୱାରା ସୋସିଆଲ ମିଡିଆ ଉପରେ ମନିଟରିଂ ଜାରି ରହିବ।
ଜୁଲାଇ ୩୧ରେ ଶୋଭା ଯାତ୍ରାକୁ ରୋକିବା ପାଇଁ ଉଦ୍ୟମ ପରେ ନୁହରେ ଭୟଙ୍କର ହିଂସା ହୋଇଥିଲା, ଯାହାର ନିଆଁ ପଡୋଶୀ ଜିଲାମାନଙ୍କରେ ମଧ୍ୟ ପହଞ୍ଚିଥିଲା। ଏହି ହିଂସାରେ ଦୁଇ ହୋମ ଗାର୍ଡ ଯବାନ ଏବଂ ଜଣେ ଧର୍ମଗୁରୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ହିଂସାକୁ ରୋକିବା ପାଇଁ ପ୍ରଶାସନ ମୋବାଇଲ ଇଣ୍ଟରନେଟ, ଏସଏମଏସ ଏବଂ ବ୍ରଡବ୍ୟାଣ୍ଡ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ହିଂସା ହେତୁ ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ ବନ୍ଦ ହୋଇ କର୍ଫ୍ୟୁ ଲାଗୁ କରାଯାଇଥିଲା।
ଇଣ୍ଟରନେଟ ନିଷେଧାଦେଶ ହଟାଇବା ସହିତ ପ୍ରଶାସନ ମଧ୍ୟ ଜିଲା କର୍ଫ୍ୟୁକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ୩୧ ଜୁଲାଇରୁ ନୁହରେ କର୍ଫ୍ୟୁ ଲାଗୁ ହୋଇଥିଲା। ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୪ ଏବଂ ୧୫ରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ।

Share