ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୧ ହଜାର ୫୬୬ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୫ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୮ ହଜାର ୮୮୧ ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଦିନେ ଦୁଇ ଦିନ ମଧ୍ୟରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୮ ହଜାର ୨୯୪ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୮୭୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୮ ଲକ୍ଷ ୨୫ ହଜାର ୧୮୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୧ ଲକ୍ଷ ୫୦ ହଜାର ୪୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୩୨୫ ଜଣ, ପଶ୍ଚିମବଙ୍ଗରେ ୨,୪୫୫, ତାମିଲନାଡୁରେ ୨,୧୧୬ ଜଣ, ପଞ୍ଜାବରେ ୪୫୭ ଜଣ କେରଳରେ ୧,୮୫୭ ଜଣ, କର୍ନାଟକରେ ୧,୪୭୮ ଜଣ, ଓଡ଼ିଶାରେ ୧,୧୯୬ ଜଣ, ଗୁଜରାଟରେ ୮୯୪, ଆସାମରେ ୮୩୦ ଜଣ, ତେଲେଙ୍ଗାନାରେ ୬୪୦, ହିମାଚଳପ୍ରଦେଶରେ ୫୮୩ ଜଣ, ଛତିଶଗଡ଼ରେ ୬୩୩ ଜଣ, ଦିଲ୍ଲୀରେ ୬୮୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୦୮ ଜଣ, ଆନ୍ଧ୍ରପ୍ରଦେଶରେ ୪୮୯ ଜଣ, ଉତ୍ତରପ୍ରଦେଶରେ ୪୩୯ ଜଣ, ତ୍ରିପୁରାରେ ୩୮୨ ଜଣ, ଜମ୍ମୁ-କଶ୍ମୀରରେ ୪୩୪ ଜଣ, ବିହାରରେ ୪୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଝାଡ଼ଖଣ୍ଡରେ ୨୩୦ ଜଣ, ରାଜସ୍ଥାନରେ ୨୪୬ ଜଣ, ସିକିମ୍‌ରେ ୧୯୮ ଜଣ , ମଧ୍ୟପ୍ରଦେଶରେ ୨୧୬ ଜଣ, ପୁଡୁଚେରୀରେ ୨୧୨ ଜଣ, ଉତ୍ତରାଖଣ୍ଡରେ ୧୮୯ ଜଣ, ମିଜୋରାମରେ ୧୩୮ ଜଣ, ଗୋଆରେ ୧୩୫ ଜଣ, ମେଘାଳୟରେ ୧୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୦ କୋଟି ୯୦ ଲକ୍ଷରୁ ଅଧିକରେ ପହଞ୍ଚିଛି । ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଗତ ୨୪ ଘଣ୍ଟାରେ ୨୯ ଲକ୍ଷ ୧୨ ହଜାର ୮୫୫ ଟିକା ପ୍ରଦାନ କରାଯାଇଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share