ଅଧିକ ଟିକାଦାନ କରାଯାଇଥିବା ଦେଶରେ ଦୁଇଗୁଣା ହେଲା ଆକ୍ରାନ୍ତଙ୍କ ସଂଖ୍ୟା…

ଭିକ୍ଟୋରିଆ,୧୨।୫: ସର୍ବାଧିକ ଟିକାଦାନ କରାଯାଇଥିବା ଆଫ୍ରିକୀୟ ଦେଶ ସେଶେଲ୍ସ୍‌ରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ମେ’ ୭ ପରେ ଏଠାରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୩୭ ପ୍ରତିଶତ ଲୋକଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୮୬ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟି ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ସେଶେଲ୍ସ୍‌ରେ ଚାଇନାର ସାଇନୋଫାର୍ମ ଏବଂ ଭାରତର କୋଭିଶିଲ୍ଡ୍‌ ଟିକା ଲୋକଙ୍କୁ ଦିଆଯାଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପ୍ରତିରକ୍ଷା ବିଭାଗ ନିର୍ଦ୍ଦେଶକ କେଟ୍‌ ଓ ବ୍ରାଉନ୍‌ କହିଛନ୍ତି। ଚାଇନାର ସାଇନୋଫାର୍ମ ଟିକା ଦେଶର ୫୭ ପ୍ରତିଶତ ଲୋକଙ୍କ୍‌ୁ ଦିଆଯାଇଥିବାବେଳେ ଅବଶିଷ୍ଟଙ୍କୁ ଭାରତର କୋଭିଶିଲ୍ହ ଦିଆଯାଇଛି। ସ୍ଥାନୀୟ ସରକାରଙ୍କ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଯୋଗାଯୋଗରେ ରହିଥିବା ବ୍ରାଉନ୍‌ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭାରତ ପକ୍ଷରୁ ୫୦ ହଜାର କୋଭିଶିଲ୍ଡ ଟିକା ଉପହାରଭାବେ ସେଶେଲ୍ସ୍‌କୁ ପ୍ରଦାନ କରାଯାଇଥିଲା।

Share