Categories: ଜାତୀୟ

ମାସେରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଛି ୩୫ ପ୍ରତିଶତ…

ଜେନେଭା, ୧୮।୮ : କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ ଘେବ୍ରେୟସସ୍‌ ପୁଣିଥରେ ବିଶ୍ୱବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ଚେତାବନୀ ଦେଇଛନ୍ତି।

ଲଗାତାର ତୃତୀୟ ବର୍ଷ ପାଇଁ କରୋନା ମହାମାରୀ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏପିଡେମୋଲୋଜିଷ୍ଟ ଏବଂ ବିଶ୍ୱନେତାମାନେ ବାରମ୍ବାର କରୋନା ମହାମାରୀ ବିଷୟରେ କହୁଛନ୍ତି ଯେ ଆମକୁ କରୋନା ସହିତ ବଞ୍ଚିବା ଶିଖିବାକୁ ପଡିବ।

ଏହି ମର୍ମରେ ଘେବ୍ରେୟସସ୍‌ କହିଛନ୍ତି ଯେ ରୋଗ ଶେଷ ହୋଇଛି ବୋଲି ଆମେ ଅନୁମାନ କରିବା ଉଚିତ୍ ନୁହେଁ। ନିଜକୁ ଏବଂ ଅନ୍ୟମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଆମକୁ ସର୍ବଦା ସର୍ତକ ରହିବାକୁ ପଡିବ। ଘେବ୍ରେୟସସ୍‌ କହିଛନ୍ତି ଯେ ଆମେ ସମସ୍ତେ କରୋନା ମହାମାରୀରେ ଥକି ଯାଇଛୁ, କିନ୍ତୁ ଏହି ଭୂତାଣୁ ଏପର୍ଯ୍ୟନ୍ତ ଥକି ନାହାଁନ୍ତି।

କରୋନାର ଓମିକ୍ରନ ଭାରିଆଣ୍ଟ ଏପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରିଛି। ଗତ ଏକ ମାସ ମଧ୍ୟରେ, ୯୦ ପ୍ରତିଶତରୁ ଅଧିକ ନମୁନାରେ ବିଏ.୫ ସବ ଷ୍ଟ୍ରେନ ଦେଖିବାକୁ ମିଳିଛି। ତାଙ୍କ ଭିଡିଓ ବାର୍ତ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ୧୫ ହଜାର ଲୋକଙ୍କର ଚାରି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଅସହ୍ୟ, କାରଣ ସଂକ୍ରମଣକୁ ରୋକିବା ଏବଂ ଜୀବନ ରକ୍ଷା କରିବା ପାଇଁ ଆମର ସମସ୍ତ ବ୍ୟବସ୍ଥା ଅଛି। ଆମ ମଧ୍ୟରୁ କେହି ଅସହାୟ ନୁହଁନ୍ତି। ସମସ୍ତଙ୍କୁ ଟିକାକରଣ କରିବା ଜରୁରୀ। ଆବଶ୍ୟକ ହେଲେ ବୁଷ୍ଟର୍‌ ଡୋଜ ନେବାକୁ ପଡ଼ିବ। ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ ଏବଂ ଏକ ସୁରକ୍ଷିତ ଶାରୀରିକ ଦୂରତା ବଜାୟ ରଖନ୍ତୁ।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ୫୯ କୋଟିରୁ ଅଧିକ ସଂକ୍ରମିତ ହୋଇଛି। ଏହି ସମୟ ମଧ୍ୟରେ ୬୪ ଲକ୍ଷରୁ ଅଧିକଙ୍କର ମୃତ୍ୟୁ ଘଟିଛି। ଆମେରିକାରେ ୯.୩ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ପ୍ରାୟ ୪.୪ କୋଟି ଲୋକ ସଂକ୍ରମିତ ହୋଇଛନ୍ତି।

Share