ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୨ ହଜାର ୪୩୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୨୪ ହଜାର ୬୦୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୯୩ ପ୍ରତିଶତ ରହିଛି। ଅପରପକ୍ଷରେ ୨ ଲକ୍ଷ ୪୪ ହଜାର ୧୯୮ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି।
ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୯ ହଜାର ୮୫୬ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୯୨ କୋଟି ୬୩ ଲକ୍ଷ ୬୮ ହଜାର ୬୦୮ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୪୩ ଲକ୍ଷ ୯ ହଜାର ୫୨୫ ଜଣଙ୍କୁ ଟିକା ଦିଆଯାଇଛି।
ଅପରପକ୍ଷରେ ଇତିମଧ୍ୟରେ ୫୭ କୋଟି ୮୬ ଲକ୍ଷ ୫୭ ହଜାର ୮୪୮ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୩୧ ହଜାର ୮୧୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୨ ଲକ୍ଷ ୨୫୮ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।
ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୬୧୬ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୩୪ ଛୁଇଁଛି।