ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୦୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୨ ହଜାର ୧୩୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୮ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୨୮ ହଜାର ୫୫୫ ରହିଛି। ୫୨୭ ଦିନ ପରେ ଏହା ସର୍ବନିମ୍ନ ରହିଛି।

ସାପ୍ତାହିକ ପଜିଟିଭ୍‌ ହାର ୦.୯୬ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୮୨ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୭ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୪ ହଜାର ୧୫୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୧୩ କୋଟି ୬୮ ଲକ୍ଷ ୭୯ ହଜାର ୬୮୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୭ ଲକ୍ଷ ୮୨ ହଜାର ୪୨ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୨ କୋଟି ୯୦ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୮ ଲକ୍ଷ ୭୩ ହଜାର ୮୯୦ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ କୋଟି ୪୪ ଲକ୍ଷ ୫୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

କେରଳରେ ଗତ ୨୪ ଘଣ୍ଟାରେ ୫,୫୧୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୧୦ ରହିଛି। ସେହିପରି ରାଜ୍ୟରେ ଏହି ସମୟ ମଧ୍ୟରେ ୬,୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share