ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ୨ ଦିନ ଧରି ଏହା ଲଗାତାର ୯ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୨୮୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୦ ହଜାର ୯୪୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୩ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୧୧ ହଜାର ୪୮୧ ରହିଛି। ୫୩୭ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୩ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୬ ହଜାର ୫୮୪ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୧୮ କୋଟିରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି ବୋଲି ଆଇସିଏମ୍‌ଆର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୯ ଲକ୍ଷ ୫୭ ହଜାର ୬୯୮ ଲୋକ ସୁସ୍ଥ ହୋଇସାରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୩୫ ହଜାର ୭୩୬ ରହିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share