ଦୈନିକ ସଂକ୍ରମଣ ୪୦ ହଜାରରୁ କମ୍‌, ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୪୦ରୁ ଅଧିକ ରହିବା ପରେ ଏହା ପୁଣି କମିଛି। ସେହିପରି ଲଗାତାର ୨ ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୫୪୯ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ କରୋନାରେ ୪୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୮ ହଜାର ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୩୫ ରହିଛି। ଅପରପକ୍ଷରେ ୪ ଲକ୍ଷ ୪ ହଜାର ୯୫୮ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୩୧ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୭ କୋଟି ୮୫ ଲକ୍ଷ ୪୪ ହଜାର ୧୧୪ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୬ କୋଟି ୯୬ ଲକ୍ଷ ୪୫ ହଜାର ୪୯୪ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୮ ଲକ୍ଷ ୯୬ ହଜାର ୩୫୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଇତିମଧ୍ୟରେ ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share