Categories: ଜାତୀୟ

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ସେହିପରି ତୃତୀୟ ସ୍ଥାନରେ ବିହାର ରହିଛି। ବିହାରରେ ଏଡ୍‌ସ ଆକ୍ରାନ୍ତଙକ୍କ ସଂଖ୍ୟା ୮,୦୦୦ ରହିଛି। ୨୦୧୦ଠାରୁ ବାର୍ଷିକ ୨୭ ପ୍ରତିଶତ ହାରରେ ନୂଆ ସଂକ୍ରମଣ ସଂଖ୍ୟା କମୁଥିଲେ ମଧ୍ୟ ପ୍ରତିବର୍ଷ ଏଡ୍‌ସ ସମସ୍ୟା ଭୋଗୁଥିବା ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି।

ଏସମ୍ପର୍କରେ ୟୁନିସେଫ୍‌ ଡାକ୍ତର ସିଦ୍ଧାର୍ଥ ଶଙ୍କର ରେଡ୍ଡୀ ସୂଚନା ପ୍ରଦାନ କରିଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୧୭ରେ ନ୍ୟାଶନାଲ ଏଡ୍‌ସ କଣ୍ଟ୍ରୋଲ ଅର୍ଗାନାଇଜେଶନ( ନାକୋ) ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଡ୍ରଗ୍ସ୍‌ ବ୍ୟବହାରକାରୀ ଏବଂ ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ କ୍ଷେତ୍ରରେ ଏଡ୍‌ସ ସଂକ୍ରମଣ ହାର ଅଧିକ ରହିଛି। ଅପରପକ୍ଷରେ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ତୁଳାନାତ୍ମକ ଭାବେ କମ୍‌ ରହିଥିବା ଶ୍ରୀ ରେଡ୍ଡୀ କହିଛନ୍ତି।

ସରକାରଙ୍କ ପକ୍ଷରୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଏଡ୍‌ସ ମୁକ୍ତ ଭାରତ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଦେଶରେ ପ୍ରତି ୧୦୦ ଜଣରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୦.୨୨ ପ୍ରତିଶତ ରହିଛି। ସମସ୍ତ ସରକାରୀ ପ୍ରୟାସ ସତ୍ତ୍ୱେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସେ କହିଛନ୍ତି।

Share