୨୦୨୧ରେ ଭୋକିଲାଙ୍କ ସଂଖ୍ୟା ବଢ଼ିଯିବ: ଜାତିସଂଘ

ଜେନେଭା,୧୫।୧୧: ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଜାରି ରହିଛି। କେତେକ ସ୍ଥାନରେ ଖାଦ୍ୟର ଘୋର ସଙ୍କଟ ଦେଖାଦେଇଛି। ତେବେ ଆସନ୍ତା ବର୍ଷ ପୃଥିବୀରେ ଭୋକିଲାଙ୍କ ସଂଖ୍ୟା ପୁଣି ବଢ଼ିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‌ପି)ର ମୁଖ୍ୟ ଡେଭିଡ୍‌ ବେସ୍ଲେ ସୂଚନା ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଶହେ କୋଟି ଡଲାର ଅନୁଦାନ ଆବଶ୍ୟକ ବୋଲି ସେ କହିଛନ୍ତି। ୨୦୨୧ରେ ଲୋକଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର ହେବ। କେତେକ ଦେଶରେ ଗୃହ ଯୁଦ୍ଧ ଲାଗି ରହିଛି। ଏହାଯୋଗୁ ଦିନକୁ ଦିନ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ବେସ୍ଲେ ୨୦୨୦ରେ ଏପ୍ରିଲ୍‌ରେ କହିଥିଲେ ଯେ, ପୃଥିବୀ କରୋନା ମହାମାରୀ ସହିତ କ୍ଷୁଧା ସଙ୍କଟ ସହିତ ଲଢ଼େଇ ଜାରି ରଖିଛି। ଏଥିପାଇଁ ବହୁ ରାଷ୍ଟ୍ରନେତା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଫଳରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇ ନ ଥିଲା। ମାତ୍ର ୨୦୨୧ରେ ଆର୍ଥିକ ସହାୟତାର ପରିମାଣ ବଢ଼ିବାର ଆକଳନ କରାଯାଇଥିଲେ ମଧ୍ୟ ସେ ତୁଳନାରେ ପାଣ୍ଠି ଯୋଗାଡ଼ ହୋଇ ପାରିବ ନାହିଁ। ତେଣୁ ସ୍ଥିତି ଅଧିକ ଖରାପ ହେବ ବୋଲି ସେ କହିଛନ୍ତି। ଫଳରେ ଲୋକେ ଦୁଇବେଳା ଖାଇବାକୁ ମଧ୍ୟ ପାଇବେ ନାହିଁ। କ୍ଷୁଧା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି।

Share