Categories: ଜାତୀୟ

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଜାଗ ରହିଛି। ଏହି ମର୍ମରେ ଲଦାଖର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ର ଲେହ ନିକଟରେ ଥିବା ୧୪ କୋର୍‌ ଡିଭିଜନରେ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

ଶୀତଦିନେ ଚାଇନାର ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ସେନା ଅତିରିକ୍ତ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚ୍ୟାଲେଞ୍ଜିଂ ପରିସ୍ଥିତିରେ କାର୍ଯ୍ୟ କରି ପୂର୍ବ ଲଦାଖରେ ଚାଇନାର ଆହ୍ବାନର ସମ୍ମୁଖୀନ ହେବାକୁ ଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମ ସୀମା ନିକଟରେ ପିଏଲଏର ଉପସ୍ଥିତି ଯୋଗଏଲ୍‌ଏସିରେ ଯବାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ପୂର୍ବ ଲଦାଖରେ ୩୦,୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଗତ ବର୍ଷ ଲଦାଖରେ ଜମ୍ମୁ-କଶ୍ମୀରର କେତେକ ୟୁନିଟକୁ ମୁତୟନ କରାଯାଇଥିଲା। ଗତ ବର୍ଷ ଗଲୱାନ ଘାଟି ଘଟଣା ପରେ ଏକ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) ସେକ୍ଟରକୁ ଗଲୱାନ ଉପତ୍ୟକାକୁ ସ୍ଥାନାନ୍ତର କରାଯାଇଥିବାବେଳେ ୟୁନିଫର୍ମ ଫୋର୍ସର ଏକ ୟୁନିଟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ପୂର୍ବ ଲଦାଖରେ ଉଭୟ ପାର୍ଶ୍ୱରେ ପ୍ରାୟ ୩୦,୦୦୦ ସୈନିକ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ଉଭୟ ଭାରତ ଏବଂ ଚାଇନା ପକ୍ଷରୁ ଏଲ୍‌ଏସି ଅଞ୍ଚଳରେ ପ୍ରାୟ ୫୦,୦୦୦ ରୁ୬୦,୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକତା ଏବଂ ପରିସ୍ଥିତିି ଅନୁଯାୟୀ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

ସୂତ୍ରରୁ ପ୍ରକାଶ ଯେ ଏଲ୍‌ଏସି ସହିତ ଟେକ୍ନୋଲୋଜି ନିୟୋଜନ ଏବଂ ସିଙ୍କ୍ରୋନାଇଜଡ ମନିଟରିଂ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଭାରତୀୟ ସେନା ଭୂମିରେ ସେନା ବୃଦ୍ଧି କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଧ୍ୟାନ ଦେଉଛି। ଶତ୍ରୁ ଗତିବିଧି ବିଷୟରେ ଅଗ୍ରୀମ ସୂଚନା ରଖିବା ପାଇଁ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଲ୍‌ଏସି ଉପରେ ନଜର ରଖିୁଥିବା ଇଣ୍ଟିଗ୍ରେଟେଡ ଆଭିଏସନ ବ୍ରିଗେଡ ସ୍ଥାପନ କରାଯାଇଛି। ଏଥିରେ ଏମ୍‌-୭୭୭ ହାଲୁକା ହୋୱିଜର୍‌, ବୋଫର୍ସ ଏବଂ କେ-୯ ବଜ୍ର ବନ୍ଧୁକ ସହିତ ବହୁ ପ୍ରଣାଳୀକୁ ସାମିଲ କରାଯାଇଛି। ସେହିପରି ଶତ୍ରୁର ମୁକାବିଲା ପାଇଁ ପ୍ରମୁଖ କ୍ଷେପଣାସ୍ତ୍ର ପ୍ରଣାଳୀକୁ ମଧ୍ୟ ଏଲ୍‌ଏସିରେ ମୁତୟନ କରାଯାଇଛି।

Share