Categories: ଜାତୀୟ

ଆମେରିକାରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ

ନୂଆଦିଲ୍ଲୀ, ୧୬ା୧୧: ଆମେରିକାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୨୦-୨୧ରେ ପୂର୍ବ ଶିକ୍ଷାବର୍ଷ ତୁଳନାରେ ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି। କରୋନା ମହାମାରୀ କାରଣରୁ ଏପରି ହୋଇଥିବା ସୋମବାର ଅନ୍ତର୍ଜାତୀୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଆମେରିକା ଏବେ ବି ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ପାଇଁ ‘ଟପ୍‌ ଡେଷ୍ଟିନେଶନ୍‌’ ବା ପ୍ରମୁଖ ଶିକ୍ଷାହାସଲ ସ୍ଥଳ ପାଲଟିଥିବା ୨୦୨୧ ଓପନ୍‌ ଡୋର୍‌ସ ରିପୋର୍ଟରେ କୁହାଯାଇଛି। ଅନ୍ତଃରାଷ୍ଟ୍ରୀୟ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚାଇନା ପରେ ଭାରତ ଦ୍ୱିତୀୟରେ ରହିଛି। ଛାତ୍ରୀଛାତ୍ରଙ୍କ ନିମନ୍ତେ ଥିବା ଭିଜା ସଂଖ୍ୟାରୁ ଆମେରିକାରେ ଭାରତୀୟ ପିଲାଙ୍କ ସଂଖ୍ୟା କମିଥିବା ଜଣାପଡ଼ିଛି। ମୋଟାମୋଟି ଭାବେ ଆମେରିକାରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୫% ହ୍ରାସ ପାଇଛି। ୨୦୦ରୁ ଅଧିକ ସ୍ଥାନରୁ ୯ ଲକ୍ଷ ୧୪ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ ଆମେରିକା ଟପ୍‌ରେ ରହିଛି। ୨୦୨୦-୨୧ ବର୍ଷରେ ଅଧ୍ୟୟନ କରୁଥିବା ଭାରତୀୟଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୫୮୨ (ପ୍ରାୟ ୨୦%) ରହିଛି।

Share