Categories: ଜାତୀୟ

ଭାରତରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ନୂଆଦିଲ୍ଲୀ,୯।୧: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୯୦ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ରହିଥିବା ନେଇ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଉଛିା। କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିଠାରେ ଥିବା ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି। ସେହିପରି ଦେଶରେ ଇତିମଧ୍ୟରେ ୧୮ କୋଟି ୨ ଲକ୍ଷ ୫୩ ହଜାର ୩୧୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୯ ଲକ୍ଷ ୧୬ ହଜାର ୯୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଦେଶର ୨୩୧୬ଟି ଲ୍ୟାବ୍‌ରେ ନମୁନା ପରୀକ୍ଷା ଜାରି ରହିଛି। ସେଥିମଧ୍ୟରେ ୧୨୦୧ ସରକାରୀ ଲ୍ୟାବ୍‌ ଥିବାବେଳେ ୧୧୧୫ଟି ବେସରକାରୀ ଲ୍ୟାବ୍‌ ରହିଛି।

Share