ବଢ଼ିପାରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ସଂଖ୍ୟା: ଗୁଟେରସଙ୍କ ସୂଚନା…

ନ୍ୟୁୟର୍କ,୨୦।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ମଧ୍ୟ ଗମ୍ଭୀର ଭାବରେ ବିଚାର କରାଯାଉଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ସୁରକ୍ଷା ପରିଷଦର ବିସ୍ତାର ହେବାର ସମ୍ଭାବନାକୁ ନେଇ ଗୁରୁତର ସହ ବିଚାର କରାଯାଉଛି। ତଥାପି, ଭେଟୋ ଅଧିକାରର ପ୍ରସଙ୍ଗ ଏକ ବଡ଼ ପ୍ରଶ୍ନ ହୋଇ ରହିଛି ।

ନ୍ୟୁୟର୍କରେ ବାର୍ଷିକ ସମ୍ମିଳନୀରେ ଜାତିସଂଘର ମହାସଚିବ କହିଛନ୍ତି ଯେ ସୁରକ୍ଷା ପରିଷଦର ସମ୍ପ୍ରସାରଣ ଏବଂ ଭିଟୋ ଅଧିକାର ସହ ଜଡିତ ବଡ ପ୍ରଶ୍ନ ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରସଙ୍ଗ। ଏହି ବୁଝାମଣାରେ ସଚିବାଳୟର କୌଣସି ହସ୍ତକ୍ଷେପ ନାହିଁ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଗୁଟେରସ କହିଛନ୍ତି ଯେ ଆମେରିକା ଏବଂ ରୁଷିଆରୁ ଏକ ସ୍ପଷ୍ଟ ସଙ୍କେତ ଆସିଛି ଯେ ସେମାନେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ସପକ୍ଷରେ ଅଛନ୍ତି। ସେ କହିଛନ୍ତି, କିଛି ସମୟ ପୂର୍ବରୁ ବ୍ରିଟେନ ଏବଂ ଫ୍ରାନ୍ସରୁ ମଧ୍ୟ ସମାନ ସଙ୍କେତ ମିଳିଛି। ତେବେ ତାଙ୍କ ଭେଟୋ ଅଧିକାର ଉପରେ କିଛି ପ୍ରତିବନ୍ଧକ ସହିତ ଏହି ପ୍ରସ୍ତାବ ପଠାଯାଇଛି।

ସୁରକ୍ଷା ପରିଷଦର ସଂସ୍କାରରେ ସାଧାରଣ ସଭାର ଦୁଇ-ତୃତୀୟାଂଶ ଭୋଟ ଏବଂ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକାର ପାଞ୍ଚଟି ଭୋଟ ଆବଶ୍ୟକ ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି। ଚାଇନା ବ୍ୟତୀତ ସ୍ଥାୟୀ ସଦସ୍ୟ ଦେଶ ମଧ୍ୟରୁ ଅନ୍ୟ ଚାରି ଦେଶ ସଂସ୍କାର ସପକ୍ଷରେ ଅଛନ୍ତି। ଗତ ସପ୍ତାହରେ ଗୁଟେରସ ଟୁଇଟ କରି କହିଥିଲେ ଯେ ଜାତିସଂଘର ଅଧିକାଂଶ ସଦସ୍ୟ ବର୍ତ୍ତମାନର ଭୌଗୋଳିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ଉଚିତ ବୋଲି ଦାବି କରୁଛନ୍ତି।

Share