ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର ଶେଷ ଭାଗରେ, ସମୁଦାୟ ଜନସଂଖ୍ୟାର ୩୬ ପ୍ରତିଶତ ବୃଦ୍ଧି ହେବେ, ବର୍ତ୍ତମାନ ସମୟରେ ଏହା କେବଳ ୧୦.୧ ପ୍ରତିଶତ ରହିଛି। ୨୦୧୦ ଠାରୁ ଦେଶରେ ବୃଦ୍ଧ ଜନସଂଖ୍ୟା ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ସାମ୍ପ୍ରତିକ ଧାରା ଅନୁଯାୟୀ, ପ୍ରାୟ ୧୫ ବର୍ଷ ମଧ୍ୟରେ ୬୦ ବର୍ଷରୁ ଅଧିକ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ।
ଭାରତୀୟ ଜନସଂଖ୍ୟାର ବାର୍ଦ୍ଧକ୍ୟ ଏବଂ ଏହାର ନିରାକରଣ ଏବଂ ସମାଧାନ ହେତୁ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଏବଂ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ପପୁଲେଶନ ସାଇନ୍ସ ଇଣ୍ଡିଆ ଏଜିଂ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଜନସଂଖ୍ୟା ବୃଦ୍ଧାବସ୍ଥାରେ ରହିଛି। ବିଶ୍ୱସ୍ତରରେ ୨୦୨୨ମସିହାରେ, ୭.୯ ବିଲିୟନ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୧.୧ ବିଲିୟନ ଲୋକ ୬୦ ବର୍ଷରୁ ଅଧିକ ଥିଲେ। ଏହା ଜନସଂଖ୍ୟାର ପ୍ରାୟ ୧୩.୯ ପ୍ରତିଶତ। ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା ପ୍ରାୟ ୨.୨ବିଲିୟନ ବା ୨୨ ପ୍ରତିଶତକୁ ବୃଦ୍ଧି ପାଇବ ।
ଭାରତରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ହେବାର ତିନୋଟି କାରଣ ଅଛି । ସେସବୁ ମଧ୍ୟରେ ପ୍ରଜନନ କ୍ଷମତାରେ ହ୍ରାସ, ମୃତ୍ୟୁ ହାର ହ୍ରାସ ଏବଂ ବଞ୍ଚିବା ବୃଦ୍ଧି ଆଦି ରହିଛି। ଗତ ଦଶନ୍ଧିରେ ଦେଶରେ ପ୍ରଜନନ ହାର ୨୦ ପ୍ରତିଶତ ହ୍ରାସ ପାଇଛି। ୨୦୦୮-୧୦ ମଧ୍ୟରେ ଦେଶର ମୋଟ ପ୍ରଜନନ ହାର ୮୬.୧ ଥିଲା, ଯାହା ୨୦୧୮ ରୁ ୨୦୨୦ ମଧ୍ୟରେ ୬୮.୭ କୁ ହ୍ରାସ ପାଇଛି।
ଜାତୀୟ ହାର ତୁଳନାରେ ମୋଟ ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କମ ଥିବା ୧୧ ଟି ରାଜ୍ୟ ଅଛି। ସେଥିମଧ୍ୟରୁ ବିହାର ହେଉଛି ଦେଶର ସବୁଠାରୁ କନିଷ୍ଠ ରାଜ୍ୟ ଯାହା ୭.୭ ପ୍ରତିଶତ ବୃଦ୍ଧ ଜନସଂଖ୍ୟା ବିଶିଷ୍ଟ । ୮.୧ ପ୍ରତିଶତ ବୃଦ୍ଧ ଜନସଂଖ୍ୟା ସହିତ ଉତ୍ତରପ୍ରଦେଶ ଦ୍ୱିତୀୟ କନିଷ୍ଠ ରାଜ୍ୟ । ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଆସାମ ୮.୨ ପ୍ରତିଶତ ହୋଇ ତୃତୀୟ ସ୍ଥାନରେ, ଝାଡଖଣ୍ଡ ୮.୪ ପ୍ରତିଶତ ହୋଇ ଚତୁର୍ଥ ସ୍ଥାନରେ ଏବଂ ରାଜସ୍ଥାନ ଓ ମଧ୍ୟପ୍ରଦେଶ ୮.୫ ପ୍ରତିଶତ ହୋଇ ପଞ୍ଚମ ସ୍ଥାନରେ ରହିଛନ୍ତି।
୬୦ ବର୍ଷରୁ ଅଧିକ ୧୬.୫ ପ୍ରତିଶତ ଜନସଂଖ୍ୟା ଥିବା କେରଳ ହେଉଛି ସର୍ବ ବରିଷ୍ଠ ରାଜ୍ୟ। ବୃଦ୍ଧାବୃଦ୍ଧଙ୍କ ବଞ୍ଚିବାରେ ବୃଦ୍ଧି ଏବଂ ପ୍ରଜନନ ହାରରେ ତୀବ୍ର ହ୍ରାସ ଘଟିଛି। ପାଞ୍ଚଟି ବରିଷ୍ଠ ରାଜ୍ୟ ମଧ୍ୟରେ ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଦକ୍ଷିଣରୁ, ହିମାଚଳ ଏବଂ ପଞ୍ଜାବ ରହିଛନ୍ତି।
ଜାତୀୟ ସ୍ତରରେ ବୃଦ୍ଧ ଜନସଂଖ୍ୟା ୨୦୨୧ ରେ ୧୦.୧ ପ୍ରତିଶତ ଥିଲା, ଯାହା ୨୦୩୬ ରେ ୧୫ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୫୦ରେ ବୃଦ୍ଧ ଜନସଂଖ୍ୟା ୨୦.୮ ପ୍ରତିଶତ ହେବ। ରିପୋର୍ଟ ଅନୁଯାୟୀ, ନିର୍ଭରଶୀଳତା ଅନୁପାତ ଏକ ଚିନ୍ତାର ବିଷୟ। ବର୍ତ୍ତମାନ ପ୍ରତି ୧୦୦ କାର୍ଯ୍ୟରତ ବ୍ୟକ୍ତିଙ୍କ ମଧ୍ୟରେ ୧୬ ଜଣ ବୃଦ୍ଧ ଏବଂ ପ୍ରତ୍ୟେକ ୧୦୦ ପିଲାଙ୍କ ତୁଳନାରେ ୩୯ ଜଣ ବୃଦ୍ଧ ଅଛନ୍ତି।