ଦିନକୁ ଦିନ କମୁଛି ଟିକାଦାନ ସଂଖ୍ୟା: ଗତ ୭ ଦିନରେ ଦିଆଯାଇଛି ୭୮ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଦେଶରେ ତାଣ୍ଡବ ରଚିଥିବାବେଳେ ଲଗାତାର ୫ ଦିନ ଧରି ଟିକାଦାନ ସଂଖ୍ୟା ୧୫ ଲକ୍ଷରୁ କମ୍‌ ରହିଛି। ଦେଶର ୪୩ ହଜାର ୬୧୦ ଟିକାଦାନ କେନ୍ଦ୍ରରେ ଟିକାକରଣ ଜାରି ରହିଛି। ଇତିମଧ୍ୟରେ କୋଓ୍ବିନ୍‌ ଆପ୍‌ରେ ୨୨ କୋଟି ୭୩ ଲକ୍ଷରୁ ଅଧିକ ଲୋକ ଟିକା ନେବା ପାଇଁ ପଞ୍ଜିକରଣ କରି ସାରିଛନ୍ତି। ସେଥିମଧ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କ ୧୪ କୋଟି ୧୫ ଲକ୍ଷ ଲୋକ ରହିଛନ୍ତି। ଭାକ୍ସିନ୍‌ ଅଭାବରୁ ଟିକାଦାନ ଅଭିଯାନ ଧିମା ପଡ଼ିଯାଇଛି। ଚଳିତ ସପ୍ତାହରେ ମେ’ ୧୭ରେ ପ୍ରାୟ ୧୩ ଲକ୍ଷ ଡୋଜ୍‌ ଦିଆଯାଇଥିଲା। ସେହିପରି ମେ’୧୮ରେ ୧୨ ଲକ୍ଷ ଡୋଜ୍‌ ଦିଆଯାଇଥିଲା। ମେ’ ୧୯ରେ ୧୧ ଲକ୍ଷ ୬୬ ହଜାର, ମେ’ ୨୦ରେ ୧୪ ଲକ୍ଷ ୮୨ ହଜାର ଏବଂ ମେ’ ୨୧ରେ ୧୫ ଲକ୍ଷ ୫୮ ହଜାର ଡୋଜ୍‌ ଦିଆଯାଇଛି। ମେ’ ୧୫ରୁ ୨୧ ମଧ୍ୟରେ ଗତ ୭ ଦିନରେ ମାତ୍ର ୭୮ ଲକ୍ଷ ଡୋଜ୍‌ ପ୍ରଦାନ କରାଯାଇଛି। ଏହା ଦ୍ୱାରା ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ସପ୍ତାହରେ ଏକ କୋଟି ୨୮ ଲକ୍ଷ ଡୋଜ୍‌ ଦିଆଯାଇଥିଲା। ଏହା ପୂର୍ବ ସପ୍ତାହରେ ଏକ କୋଟି ୨୧ ଲକ୍ଷ ଡୋଜ୍‌ ଦିଆଯାଇଥିଲା। ଏପ୍ରିଲ୍‌ ୩ରୁ ୯ ମଧ୍ୟରେ ସର୍ବାଧିକ ୨ କୋଟି ୪୭ ଲୋକଙ୍କୁ ଟିକାଦାନ କରାଯାଇଥିଲା। ମେ’ ୨୧ ସୁଦ୍ଧା ଦେଶର ୧୯ କୋଟି ୩୩ ଲକ୍ଷ ୭୨ ହଜାର ୮୧୯ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ସେଥିମଧ୍ୟରୁ ୧୫ କୋଟି ୫ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୪ କୋଟି ୨୮ ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇ ସାରିଛି। ଦେଶର ୬ ରାଜ୍ୟରେ ଏକ କୋଟିରୁ ଅଧିକ ଟିକାଦାନ କରାଯାଇଛି। ସେଥିମଧ୍ୟରୁ ଗୁଜରାଟ, କର୍ନାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ଏକ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨ କୋଟିର ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

Share