ମୁମ୍ବାଇ,୩୧ା୧: ମହାମାରୀ ଯୋଗୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଅଧିକ ପ୍ରଭାବିତ ହୋଇଛି। କେବଳ ନିଯୁକ୍ତି ହରାଇଥିଲେ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରୁ କମ୍ ସଂଖ୍ୟକ ମହିଳା କର୍ମକ୍ଷେତ୍ରକୁ ଫେରିଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରତ୍ୟେକ ମାସରେ କାର୍ଯ୍ୟ ଖୋଜୁଥିବା ମହିଳାଙ୍କ ସଂଖ୍ୟା ୩୦ ଲକ୍ଷକୁ ହ୍ରାସ ପାଇଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ଓ ସେଣ୍ଟର ଫର୍ ଇକୋନୋମିକ୍ ଡାଟା ଆଣ୍ଡ ଆନାଲିସିସ୍ (ସିଇଡିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ବୁଲେଟିନ୍ ଏହି ତଥ୍ୟ ପ୍ରକାଶ କରିଛି। ତଦନୁଯାୟୀ ଭାରତର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କମ୍ ସଂଖ୍ୟକ ମହିଳା କାର୍ଯ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ଲକ୍ଷ୍ୟ କରାଯାଇଛି। ୨୦୨୧ରେ ସହରାଞ୍ଚଳରେ ପ୍ରତ୍ୟେକ ମାସରେ ୨୫ ଲକ୍ଷ ୭୦ ହଜାର ମହିଳା କାର୍ଯ୍ୟ ଖୋଜିବାରେ ସକ୍ରିୟ ଥିଲେ, ଯାହାକି ୨୦୧୯ରେ ଏହି ସଂଖ୍ୟା ୩୮ ଲକ୍ଷ ୭୦ ହଜାର ଥିଲା। ଅର୍ଥାତ୍ ସହରରେ କର୍ମ ସନ୍ଧାନୀ ମହିଳାଙ୍କ ସଂଖ୍ୟା ୩୩.୭% ହ୍ରାସ ପାଇଛି। ସେହିପରି କେବଳ ସହରାଞ୍ଚଳରେ ୨୦୧୯ ତୁଳନାରେ ୨୦୨୧ରେ ୨୨.୧% କମ୍ ମହିଳା ନିଯୁକ୍ତି ପାଇଥିବା ସିଏମ୍ଆଇଇ ତଥ୍ୟରୁ ଜଣାପଡ଼ିଛି।
ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ କଥା ଦେଖିଲେ ୨୦୧୯ରେ ପ୍ରତ୍ୟେକ ମାସରେ ୯୫ ଲକ୍ଷ ୨୦ ହଜାର ମହିଳା ନିଯୁକ୍ତି ଖୋଜୁଥିଲେ। ୨୦୨୧ରେ ସେହି ସଂଖ୍ୟା ୬୫ ଲକ୍ଷ ୨୦ ହଜାରକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ କାର୍ଯ୍ୟ ଖୋଜୁଥିବା ପୁରୁଷଙ୍କ ସଂଖ୍ୟା ୨୦୧୯ ତୁଳନାରେ ୨୦୨୧ରେ ସହରାଞ୍ଚଳରେ ୧୯.୭% ଏବଂ ଗ୍ରାମାଞ୍ଚଳରେ ୧୪.୯% ବୃଦ୍ଧି ପାଇଛି।
୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ତୁଳନାରେ ୨୦୨୧ରେ ହାରାହାରି ମାସିକ ମହିଳା ନିଯୁକ୍ତିରେ ୫୦%ରୁ ଅଧିକ ହ୍ରାସ ଘଟିଛି। ସେଥିମଧ୍ୟରେ ରହିଛି ତାମିଲନାଡୁ (୫୦.୯%), ଗୋଆ (୫୬%), ପଞ୍ଜାବ (୫୭.୯%) ଏବଂ ଜମ୍ମୁ ଓ କଶ୍ମୀର (୬୧%)। କିନ୍ତୁ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକୁ ଦେଖିଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ରେ ୨୦୨୦ ଓ ୨୦୨୧ରେ ମହିଳା ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ସିଏମ୍ଆଇଇ ତଥ୍ୟକୁ ଦେଖିଲେ, ଦେଶର ସହର ଓ ଗ୍ରାମୀଣ ଅଞ୍ଚଳରେ ପୁରୁଷ ନିଯୁକ୍ତି ଭଳି ମହିଳାଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରଭେଦ ରହିଛି। ସହରାଞ୍ଚଳରେ ୨୦୨୧ରେ ହାରାହାରି ମହିଳା ନିଯୁକ୍ତି ୨୦୨୦ ତୁଳନାରେ ୬.୯% କମ୍ ଏବଂ ମହାମାରୀ ପୂର୍ବବର୍ଷ ଅର୍ଥାତ୍ ୨୦୧୯ ତୁଳନାରେ ୨୨.୧% କମ୍ ଥିଲା। କିନ୍ତୁ ଗ୍ରାମାଞ୍ଚଳରେ ୨୦୨୧ରେ ହାରାହାରି ମହିଳା ନିଯୁକ୍ତି ୨୦୨୦ ତୁଳନାରେ ୯.୨% ଅଧିକ ଏବଂ ୨୦୧୯ ତୁଳନାରେ ୦.୧% କମ୍ ଥିଲା। ତେଣୁ ମହାମାରୀ ପରଠାରୁ ସହରାଞ୍ଚଳରେ ମହିଳା ନିଯୁକ୍ତି ବ୍ୟାପକ ପ୍ରଭାବିତ ହୋଇଛି। ତେବେ ଏହାର କାରଣ ସମ୍ପର୍କରେ ବିଶେଷଜ୍ଞମାନେ କହୁଛନ୍ତି ଯେ ଦେଶର ଅର୍ଥନୀତି ଓ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି ମହାମାରୀ। ବିଶେଷକରି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ର ସ୍ଥିତି ଦୟନୀୟ। ପିଲାଙ୍କ ପାଠପଢ଼ା ବ୍ୟାପକ ଭାବେ ବ୍ୟାହତ ହେବା କାରଣରୁ ସେମାନଙ୍କ ଯତ୍ନ ଭାର ମହିଳାଙ୍କ ଉପରେ ପଡ଼ୁଛି। ତଦନୁଯାୟୀ ଗୃହ କାର୍ଯ୍ୟ ଚାପ ବୃଦ୍ଧି ପାଇବା ଯୋଗୁ ମହିଳାଙ୍କୁ କର୍ମ ନିଯୁକ୍ତିରୁ ଓହରିବାକୁ ପଡ଼ୁଛି।