Categories: ଜାତୀୟ

ଦେଶରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଶିକ୍ଷକଙ୍କଠାରୁ ଢେର୍‌ ଅଧିକ…

ନୂଆଦିଲ୍ଲୀ,୫।୭: ଦେଶରେ ଶିକ୍ଷକଙ୍କ ତୁଳନାରେ ଢେର୍‌ ଅଧିକ ଶିକ୍ଷୟିତ୍ରୀ ରହିଛନ୍ତି। ୟୁନିଫାଏଡ୍‌ ଡିଷ୍ଟ୍ରିକ୍‌ ଥନଫରମେଶନ ଅନ୍‌ ସ୍କୁଲ୍‌ ଏଜୁକେଶନ (ୟୁ-ଡିଆଇଏସ୍‌ଇ) ଦ୍ୱାରା ପ୍ରକାଶିତ ୨୦୧୯-୨୦ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶରେ ଶିକ୍ଷାକ୍ଷେତ୍ରରେ ମୋଟ ୯୬.୮ ଲକ୍ଷ ନିୟୋଜିତ ରହିଛନ୍ତି। ସେମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୪୯.୨ ଲକ୍ଷ ରହିଛି। ସେହିପରି ଶିକ୍ଷକଙ୍କ ସଂଖ୍ୟା ୪୭.୬ ଲକ୍ଷ ରହିଛି।

୨୦୧୨-୧୩ଠାରୁ ଗତ ୭ ବର୍ଷ ମଧ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୨-୧୩ରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୫.୮ ଲକ୍ଷ ଥିଲା। ତେବେ ୭ ବର୍ଷରେ ଏଥିରେ ୧୩.୪ ଲକ୍ଷ ବୃଦ୍ଧି ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୨-୧୩ରେ ଦେଶରେ ଶିକ୍ଷକଙ୍କ ସଂଖ୍ୟା ୪୨.୪ ଲକ୍ଷ ଥିଲା। ୨୦୧୯-୨୦ରେ ଶିକ୍ଷକଙ୍କ ସଂଖ୍ୟା ୫.୩ ଲକ୍ଷ ବଢ଼ି ୪୭.୭ ଲକ୍ଷରେ ପହଞ୍ଚିଛି।

ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଅପରପକ୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ସଂଖ୍ୟା ଶିକ୍ଷୟିତ୍ରୀଙ୍କ ତୁଳନାରେ ଅଧିକ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ଥିବାବେଳେ ଶିକ୍ଷକଙ୍କ ସଂଖ୍ୟା ୨୭,୦୦୦ ରହିଛି। ସେହିପରି ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୯.୬ ଲକ୍ଷ ଥିବାବେଳେ ଶିକ୍ଷକଙ୍କ ସଂଖ୍ୟା ୧୫.୭ ଲକ୍ଷ ଅଛି। ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ୧୧.୫ ଲକ୍ଷ ଥିବାବେଳେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୦.୬ ଲକ୍ଷ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସେକେଣ୍ଡାରୀ ଏବଂ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ ଶିକ୍ଷକଙ୍କ ସଂଖ୍ୟା ଯଥାକ୍ରମେ ୬.୩ ଲକ୍ଷ ଏବଂ ୩.୭ ଲକ୍ଷ ରହିଛି। ଅପରପକ୍ଷରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଯଥାକ୍ରମେ ୫.୨ ଲକ୍ଷ ଓ ୨.୮ ଲକ୍ଷ ରହିଛି। ସରକାରୀ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଘରୋଇ ସ୍କୁଲରେ ଅଧିକ ଶିକ୍ଷୟିତ୍ରୀ ଶିକ୍ଷାଦାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

କେରଳ, ପଞ୍ଜାବ, ତାମିଲନାଡୁ, ଦିଲ୍ଲୀ, ହରିୟାଣା ଆଦି ରାଜ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଏସବୁ ରାଜ୍ୟରେ ଯଥାକ୍ରମେ ୭୯, ୭୬, ୭୫, ୭୪, ୬୨ ପ୍ରତିଶତ ଶିକ୍ଷୟିତ୍ରୀ ରହିଛନ୍ତି। ସମ୍ପୃକ୍ତ ରାଜ୍ୟରେ ସେମାନଙ୍କ ସଂଖ୍ୟା ଯଥାକ୍ରମେ ୨.୨ ଲକ୍ଷ, ୨.୧ ଲକ୍ଷ, ୪.୨ ଲକ୍ଷ, ୧.୨ ଏବଂ ୧.୬ ଲକ୍ଷ ରହିଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ୟୁ-ଡିଆଇଏସ୍‌ଇ ରିପୋର୍ଟ ପ୍ରକାଶ ପାଇଥାଏ।

Share