Advertisement
Categories: ଜାତୀୟ

କମିଶନରଙ୍କ ସ୍ଥାନରେ କରୋନା ଯୋଦ୍ଧା କଲେ ପତାକା ଉତ୍ତୋଳନ

ବାରାଣସୀ,୧୫।୮: ଦେଶ ପାଳନ କରିଛି ୭୪ତମ ସ୍ବାଧିନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ବାରାଣସୀରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ବାରାଣସିର କମିଶନର କମ୍ପାଉଣ୍ଡରେ କମିଶନରଙ୍କ ପରିବର୍ତ୍ତେ ଜଣେ ନର୍ସ ପତାକା ଉତ୍ତୋଳନ କରିଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଯେଉଁଭଳି ଭାବେ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କମିଶନର ଏପରି କରିଥିବା ପ୍ରକାଶ। ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଅନୁରାଧାଙ୍କୁ କମିଶନରଙ୍କ ସରକାରୀ ଗାଡି ସକାଳୁ ଯାଇ ସସମ୍ମାନେ ତାଙ୍କ ଘରୁ କମିଶନରଙ୍କ କମ୍ପାଉଣ୍ଡକୁ ଆଣିଲା। ଏହାପରେ ସେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କମିଶନର ଏଭଳି କରିଥିବା କୁହାଯାଏ। ଏହାପରେ କମିଶନର ତାଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଅନୁରାଧା କହିଥିଲେ କରୋନା ସଂକ୍ରମିତଙ୍କ ସେବା କରିବାକୁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେକରନ୍ତି। ତେବେ କରୋନାକୁ ଡରିଗଲେ ଏହା ଡରାଇବ ବରଂ ସାହସର ସହ ଏହାର ମୁକାବିଲା କଲେ କରୋନା ହାରିବ ବୋଲି ଅନୁରାଧା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share