ପାଟଣାଗଡ଼/ ବଲାଙ୍ଗୀର,୧୯ା୪(ସଚ୍ଚିଦାନନ୍ଦ ମହାକୁର/ ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ପାଟଣଗଡ଼ ଥାନା ନେହେନାବନ୍ଧ ଗଁାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗଁାରେ ଜଣେ ନର୍ସଙ୍କୁ ତାଙ୍କ ସ୍ବାମୀ ଓ ପରିବାର ଲୋକେ ପିଟି ପିଟି ହତ୍ୟା କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଧିକ ଯୌତୁକ ପାଇଁ ଝିଅ କ୍ରିଷ୍ଣା ସାହୁ(୨୫)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଠାକୁର ସାହୁ ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି। ପାଟଣାଗଡ଼ ପୋଲିସ ଏକ ମାମଲା (ନଂ.୧୧୭/୨୫) ରୁଜୁ କରିବା ସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ହସ୍ପିଟାଲକୁ ପଠାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ଆଲୋକ ସାହୁ (୨୮)ଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ସେମେଲମୁଣ୍ଡା ଗଁାର ଠାକୁର ସାହୁଙ୍କ ଝିଅ କ୍ରିଷ୍ଣା ୨୦୨୨ ମସିହାରେ ପାଟଣାଗଡ଼ ଥାନା ନେହେନାବନ୍ଧ ଗଁାର ଆଲୋକଙ୍କୁ ବିବାହ କରିଥିଲେ। ତାଙ୍କର ୨ବର୍ଷର ଜଣେ ଶିଶୁପୁତ୍ର ଅଛି। ସେ ବରଗଡ଼ ଜିଲା ପଦ୍ମପୁରର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ଗୁରୁବାର କ୍ରିଷ୍ଣା ତାଙ୍କ ମାଆ ବେଲମତୀଙ୍କ ମୋବାଇଲକୁ ଏକ ଭିଡିଓ ପଠାଇଥିଲେ। ଉକ୍ତ ଭିଡିଓରେ ସେ କାନ୍ଦି କାନ୍ଦି ତାଙ୍କୁ ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ବାମୀ ମାଡ଼ ମାରିଥିବା କହିଥିଲେ। ଶୁକ୍ରବାର ଗୁରୁତର ଅବସ୍ଥାରେ କ୍ରିଷ୍ଣାଙ୍କୁ ଶାଶୁଘର ଲୋକେ ପାଟଣାଗଡ଼ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିିରେ ମୃତ୍ୟୁ ହେଲା ସେନେଇ ବାପଘର ଲୋକଙ୍କୁ ଠିକ୍ ସୂଚନା ଦିଆଯାଇ ନ ଥିବା ଠାକୁର କହିଛନ୍ତି। ଗଣମାଧ୍ୟମରେ ସେ କହିଛନ୍ତି, ବିବାହ ବେଳେ ଝିଅକୁ ବିଭିନ୍ନ ସାମଗ୍ରୀ ସହ ଏକ ଅଲ୍ଟୋ କାର୍ ଯୌତୁକ ଦେଇଥିଲେ। ଅଲ୍ଟୋ କାର୍ ଛୋଟ ହୋଇଯାଉଛି , ବଡ଼ କାର୍ କାହିଁକି ନ ଆଣିଲୁ ବୋଲି କହି କୁଆଡ଼େ ମାଡ଼ ମାରୁଥିଲେ। ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଜାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।


