କରୋନା ରୋଗୀଙ୍କ ପାଇଁ ଭାଓଲିନ ବଜାଉଛନ୍ତି ଏହି ନର୍ସ

ସାଣ୍ଟିଆଗୋ,୯।୭: ଏବେ ବିଶ୍ୱର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇ ରହିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଏବେ ଡାକ୍ତର, ନର୍ସ ମେଡିକାଲ ଷ୍ଟାଫ୍‌ କାହାକୁ ସମୟ ନାହିଁ। ପିପିଇ କିଟ୍‌ ପିନ୍ଧି ଏମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରି ଚାଲିଛନ୍ତି। ଏହି ସମୟରେ ଚିଲିର ରାଜଧାନୀ ସାଣ୍ଟିଆଗୋରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଜଣେ ନର୍ସ ତାଙ୍କର ସିପ୍ଟ ଶେଷ ହେବା ପରେ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ନିକଟରେ କିଛି ସମୟ ପାଇଁ ଭାଓଲିନ ବଜାଉଛନ୍ତି। ଏହାଦ୍ୱାରା ରୋଗୀଙ୍କର ମନୋବଳ ଦୃଢ ହେବ ବୋଲି ସେ କହିଛନ୍ତି। ଫଳରେ ଆମେ ସହଜରେ କରୋନା ଯୁଦ୍ଧରେ ବିଜୟୀ ହେବା। ସୂଚନାଯୋଗ୍ୟ, ଏହା ଚିଲିର ରାଜଧାନୀ ସାଣ୍ଟିଆଗୋର ଏଲ୍‌ ପିନୋ ହସ୍ପିଟାଲର ଘଟଣା ବୋଲି କୁହାଯାଉଛି। ସେଠାରେ କାମ କରୁଥିବା ୨୬ ବର୍ଷୀୟା ନର୍ସ ଡାମାରିସ୍‌ ସିଲଭା ସପ୍ତାହକୁ ୨ ଥର ସନ୍ଧ୍ୟା ୬ଟାରେ ଆଇସିୟୁରେ ଭର୍ତ୍ତି ରୋଗୀଙ୍କ ନିକଟକୁ ଯାଇ ଭାଓଲିନ ବଜାଇଥାଆନ୍ତି। ସେ କୁହନ୍ତି ଭାଓଲିନ କେବଳ ଏକ ସଙ୍ଗୀତର ସ୍ବର ନୁହେଁ ବରଂ ଏହାକୁ ଶୁଣିବା ପରେ କରୋନା ରୋଗୀମାନେ ଖୁସି ହେବା ସହ ତାଳି ବଜାଇଥାଆନ୍ତି। ଫଳରେ ଏହାଦ୍ୱାରା ରୋଗୀମାନେ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ଥାଏ। କରୋନା ଭାଇରସ ସଂକ୍ରମଣରେ ଏବେ ଚିଲି ଷଷ୍ଠ ସ୍ଥାନରେ ଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ପାଖାପାଖି ୨,୯୮,୫୫୫। ଏପର୍ଯ୍ୟନ୍ତ ସେଠାରେ ପାଖାପାଖି ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ବୋଲି ସୂଚନା ରହିଛି।

Share