ରାଜ୍ୟରେ ସୋମବାରରୁ ଖୋଲିବ ସମସ୍ତ ସ୍କୁଲ

ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ କରୋନା ପ୍ରକୋପ କମିବାରେ ଲାଗିିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୪ ତଥା ସୋମବାରରୁ ରାଜ୍ୟରେ ନର୍ସରୀ କ୍ଲାସଠାରୁ ଆରମ୍ଭ କରି ସମସ୍ତ ସ୍କୁଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏହାପୂର୍ବରୁ ଫେବୃଆରୀ ୭ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଥିଲା। ସେହିପରି କଲେଜଗୁଡ଼ିକରେ ମଧ୍ୟ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହୋଇଛି। ଏଣିକି ସୋମବାରଠାରୁ ସମସ୍ତ ସ୍କୁଲରେ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ଅନ୍ୟପଟେ ରାଜ୍ୟରେ ଜିମ୍‌ ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପୂର୍ଣ୍ଣ ଉପସ୍ଥିତିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨ବର୍ଷରୁ କରୋନା ପ୍ରକୋପ ଯୋଗୁ ସମସ୍ତ ରାଜ୍ୟରେ ସ୍କୁଲ ଓ କଲେଜଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ସାମାନ୍ୟ କମିବା ପରେ ସମସ୍ତ ରାଜ୍ୟରେ ଗତିବିଧି ଆରମ୍ଭ ହୋଇଯାଇଛି।

Share