ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ। ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି ଲେଖାଏ ସିଟ୍ ରହିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର ଓ ଯାଜପୁର ଜିଲାରେ କଲେଜ ଖୋଲିବାକୁ ପ୍ରସ୍ତାବ ରହିଛି। ୩ଟି ମେଡିକାଲ କଲେଜରେ ଅଚଳ ହୋଇପଡ଼ିଥିବା ନର୍ସିଂ କଲେଜକୁ ପୁନଃ ଚାଲୁ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଚଳିତବର୍ଷ ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ ଆରମ୍ଭ କରିବା ସହିତ ରାଜ୍ୟରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ମେଡିକାଲ କଲେଜରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ନବ ଦାସ କହିଛନ୍ତି।