Categories: ଖେଳ

କୋହଲିଙ୍କ ନାଁରେ ‘ଫେକ୍‌ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଉଇକେଟ୍‌ କିପର

ଆଡିଲେଡ,୩।୧୧: ଟି -୨୦ ବିଶ୍ୱକପ୍‌ର ୩୫ତମ ମ୍ୟାଚରେ ଡକୱର୍ଥ-ଲୁଇସ ନିୟମ ଆଧାରରେ ଭାରତ ବାଂଲାଦେଶକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଆଡିଲେଡରେ ହୋଇଥିବା ଏହି ବର୍ଷା ପ୍ରଭାବିତ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଜିତିବା ପାଇଁ ବାଂଲାଦେଶକୁ ଶେଷ ଓଭରରେ ୨୦ ରନ ସ୍କୋର କରିବାର ଥିଲା, କିନ୍ତୁ ଅର୍ଶଦୀପ ସିଂ ମାତ୍ର ୧୪ ରନ ଦେଇଥିଲେ। ବାଂଲାଦେଶ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରି ନାହିଁ। ଶେଷ ଓଭର ଗୁଡିକରେ ଦ୍ରୁତ ୨୫ ରନ କରି ଅପରାଜିତ ରହିଥିବା ଉଇକେଟ କିପର ବ୍ୟାଟ୍ସମ୍ୟାନ ନୁରୁଲ ହାସନ ସୋହାନ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ନୁରୁଲ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ‘ଫେକ୍‌ ଫିଲ୍ଡିଂ’ ଅଭିଯୋଗ କରିଛନ୍ତି।
ମ୍ୟାଚ ପରେ ନୁରୁଲ ହାସନ କହିଛନ୍ତି, ଫିଲ୍ଡ ଅମ୍ପାୟାରମାନେ ବିରାଟ କୋହଲିଙ୍କ ‘ଫେକ୍‌ ଫିଲ୍ଡିଂ’କୁ ଅଣଦେଖା କରିଛନ୍ତି। ବାଂଲାଦେଶ ଇନିଂସର ସପ୍ତମ ଓଭର ବିଷୟରେ ନୁରୁଲ ଉଲ୍ଲେଖ କରିଛନ୍ତି। କୋହଲି ଅର୍ଶଦୀପ ସିଂଙ୍କ ଥ୍ରୋକୁ କ୍ୟାଚ୍‌ ଧରି ନନ୍‌ ଷ୍ଟ୍ରାଇକର ଏଣ୍ଡକୁ ଫିଙ୍ଗିବା ଭଳି ଦର୍ଶାଇଥିଲେ। ସେ ବଲ ଧରି ପାରି ନ ଥିଲେ। ଅମ୍ପାୟାର ମାରାଇସ ଏରାସମସ କିମ୍ବା କ୍ରିସ ବ୍ରାଉନ ମଧ୍ୟ ଏହା ଦେଖି ନ ଥିଲେ। ଏପରିକି ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ଏହାକୁ ଦେଖିପାରି ନ ଥିଲେ।
ଆଇସିସି ନିୟମ କ’ଣ କହୁଛି?
ଆଇସିସିର ନିୟମ ୪୧.୫ ଅନୁଯାୟୀ, ଯଦି ଏହା ଜାଣିଶୁଣି ବ୍ୟାଟ୍ସମ୍ୟାନଙ୍କ ଧ୍ୟାନକୁ ବିଭ୍ରାନ୍ତ କରେ, ପ୍ରତାରଣା କରେ କିମ୍ବା ବାଧା ଦିଏ ତେବେ ସେହି ବଲ୍‌କୁ ଏକ ଡେଡ୍‌ ବଲ ଘୋଷିତ କରାଯାଇପାରେ। ଏଥିସହ ବ୍ୟାଟିଂ ଦଳ ପେନାଲ୍ଟି ଭାବରେ ପାଞ୍ଚ ରନ ପାଇବେ।
ନୁରୁଲ କ’ଣ କହିଥିଲେ?
ନୁରୁଲ ଗଣମାଧ୍ୟମକୁ କହିଛନ୍ତି, ଯଦି ଏହି ନିଷ୍ପତ୍ତି ବାଂଲାଦେଶ ସପକ୍ଷରେ ଯାଇଥାନ୍ତା ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ନିଶ୍ଚିତ ଭାବରେ ପଡିଆ ଓଦା ଥିଲା ଏବଂ ଏହାର ପ୍ରଭାବ ସମସ୍ତେ ଦେଖିଥିଲେ। ସେହି ଥ୍ରୋ ବିଷୟରେ, ମୁଁ ଭାବିଲି ଏହା ଫେକ୍‌। ଆମେ ଏ ବିଷୟରେ ଆଲୋଚନା କରିଥିଲୁ। ଯଦି ତାଙ୍କ ଉପରେ ପାଞ୍ଚଟି ଜୋରିମନା ଲାଗୁ ହୋଇଥାନ୍ତା, ତେବେ ମ୍ୟାଚ ଆମ ସପକ୍ଷରେ ରହିଥାନ୍ତା, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇ ଥିଲା।

Share