ଇଣ୍ଡୋନେସିଆର ନୂଆ ରାଜଧାନୀ ନୁସନ୍ତରା…

ଜାକର୍ତା, ୧୯।୧ : ଇଣ୍ଡୋନେସିଆର ସଂସଦ ଦେଶର ନୂତନ ରାଜଧାନୀ ପାଇଁ ଏକ ଆଇନ ଅନୁମୋଦନ କରିଛି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ବୁଡ଼ିଯିବାର ଆଶଙ୍କା ବୃଦ୍ଧି ପାଇଛି। ଏହା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇସାରିଛି । ଏଠାରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ସହର ପ୍ରାୟତଃ ଜଳମଗ୍ନ ହୋଇଯାଉଛି। ଏହାଯୋଗୁ ସରକାରଙ୍କ କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଭାବ ପଡୁଛି। ସଂସଦରେ ଜାତୀୟ ରାଜଧାନୀ ବିଲ ମଙ୍ଗଳବାର ପାରିତ ହୋଇଛି। ନୂଆ ଯୋଜନା ଅନୁସାରେ ବର୍ତ୍ତମାନ ନୂତନ ରାଜଧାନୀ ନୁସନ୍ତରା ହେବ। ଏହା ବୋର୍ନେଓ ଦ୍ୱୀପର ଏକ ଅଂଶ ପୂର୍ବ କାଲିମାଣ୍ଟନରେ ସ୍ଥାପିତ ହେବ।

ନୂଆ ରାଜଧାନୀ ନିର୍ମାଣ ପାଇଁ ପ୍ରାୟ ୩୨ ବିଲିୟନ ଡଲାର କିପରି ଖର୍ଚ୍ଚ ହେବ ସେନେଇ ବିଲରେ ଉଲ୍ଲେଖ କରାଯାଇଛି। ନୂତନ ରାଜଧାନୀ ଦେଶର ପରିଚୟ ହେବ ବୋଲି ପ୍ରଧାନମନ୍ତ୍ରୀ ସୁହାର୍ସୋ ମୋନୋର୍ଫା କହିଛନ୍ତି। ଏହା ଅର୍ନ୍ତଜାତୀୟସ୍ତରରେ ଦେଶର ନୂଆ ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ର ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ଏକ ଅତି ଜନବହୁଳ ସହରରେ ପରିଣତ ହୋଇଛି। ଏହି କାରଣରୁ, ସେଠାରେ ଥିବା ମୌଳିକ ସୁବିଧା ଉପରେ ଅତ୍ୟଧିକ ଚାପ ପଡ଼ିବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବୈଦେଶିକ ମିଶନ-ଦୂତାବାସଗୁଡ଼ିକୁ ନୂଆ ରାଜଧାନୀକୁ ସ୍ଥାନାନ୍ତର କରାଯିବ। ତେବେ, ନୂଆ ରାଜଧାନୀ କେବେ ପ୍ରସ୍ତୁତ ହେବ ସେନେଇ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ଆରମ୍ଭ ହେବ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ୨୦୧୯ରେ ପ୍ରଥମ ଥର ପାଇଁ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ସଂସଦରେ ଏକ ବିଲ ଆଗତ କରିଥିଲେ। ଏହାର ବିଚାର କରିବା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହି ପ୍ରସ୍ତାବକୁ ବିଲର ରୂପ ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ଅନୁମୋଦନ କରାଯାଇଛି। ନୂତନ ରାଜଧାନୀର ପ୍ରଶାସନ ଦାୟିତ୍ୱ ରାଜ୍ୟ ରାଜଧାନୀ ପ୍ରାଧିକରଣର ମୁଖ୍ୟଙ୍କର ହେବ। ଯଦିଓ ବୋର୍ନେଓ ଏକ ବୃହତ ଦ୍ୱୀପ, ତେବେ ୨୫୬,୧୪୨ ହେକ୍ଟରରେ ନୂଆ ରାଜଧାନୀ ନୁସନ୍ତରା ନିର୍ମାଣ କରାଯିବ।

ମାତ୍ର ନୂଆ ରାଜଧାନୀ ଦ୍ୱାରା ଇକୋସିଷ୍ଟମ୍‌ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଠାରେ ଘଞ୍ଚ ଜଙ୍ଗଲ ଏବଂ ଛୋଟ ନଦୀ ଅଛି । ଦ ଗାର୍ଡିଆନ ଅନୁଯାୟୀ, ନୂଆ ରାଜଧାନୀ ନିର୍ମାଣ ଫଳରେ ଏଠାକାର ସବୁଜତା ହ୍ରାସ ପାଇବା। ସେହିପରି ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବ। ଜଙ୍ଗଲ ପରିସୀମା କମ ହେବା କାରଣରୁ ବନ୍ୟଜନ୍ତୁମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହେବାର ଆଶଙ୍କା ରହିଛି। ଏଠାରେ ଭାଲୁ ଏବଂ ଲମ୍ବା ନାକ ମାଙ୍କଡ଼ ଅଧିକ ଦେଖାଯାଇଥାନ୍ତି। ଜଙ୍ଗଲ ପରିସୀମା କମିଲେ ସେମାନେ ମଧ୍ୟ ହିଂସ୍ର ହେବାର ଆଶଙ୍କା ରହିଛି।

 

Share