Categories: ଜାତୀୟ

ଦୁର୍ଗା ପେଣ୍ଡାଲରେ ଡ୍ୟାନ୍ସ କରି ଚର୍ଚ୍ଚାରେ ମହିଳା ଏମ୍‌ପି

କୋଲକତା,୨୬।୧୦: କରୋନା ସମୟରେ ସାରା ଦେଶରେ ସତର୍କତାର ସହିତ ଦୁର୍ଗା ପୂଜା ପାଳନ କରାଯାଉଛି। ଏଥି ସହ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୁସରତ କୋଲକାତାର ଏକ ଦୁର୍ଗା ପେଣ୍ଡାଲରେ ନାଚୁଥିବା ନଜର ଆସିଛନ୍ତି। ଏହି ସମୟରେ ନୁସରତ ନାଲି ଏବଂ ଧଳା ରଙ୍ଗ ଥିବା ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ସେ ତିନିଜଣ ମହିଳାଙ୍କ ସହ ପାରମ୍ପରିକ ବଙ୍ଗଳା ନୃତ୍ୟ ପରିବେଷଣ କରିଥିଲେ, ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ୟୁଜର୍ସ ସୋସିଆଲ ମିଡିଆରେ ନୁସରତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି। ନୁସରତ ସ୍ବାମୀ ନିଖିଲ ଜୈନଙ୍କ ସହ ଦୁର୍ଗା ପୂଜା ପେଣ୍ଡାଲରେ ମଧ୍ୟ ପହଞ୍ଚି ମାତା ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ। ଏହାସହ ଦୁର୍ଗାଙ୍କ ଆରତୀ ନେଇଥିଲେ। ଢୋଲ ବଜାଇବା ସହ ଏହାର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। ଗତବର୍ଷ ନୁସରତ ଜାହାନ ଦୁର୍ଗା ପୂଜାରେ ଭାଗ ନେଇଥିଲେ। ଏହା ଉପରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା। ଏହାକୁ କିଛି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ବିରୋଧ କରିଥିଲେ। ସେ ସମସ୍ତ ଧର୍ମର ଲୋକଙ୍କୁ ସମ୍ମାନ କରନ୍ତି ବୋଲି ନୁସରତ କହିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ବସୀରହାଟ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ଲଢି ଜିତିଥିଲେ।

Share