ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ନୁସରତ୍‌: ପ୍ରେମିକଙ୍କ କୋଳରେ ପୁଅ

କୋଲକତା,୩୧।୮: ନିକଟରେ ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗାଳ ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜାହାଁ ମା’ ହୋଇଛନ୍ତି। ୨୬ ଅଗଷ୍ଟରେ ନୁସରତ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୫ ଦିନ ପରେ ସେ ପୁଅକୁ ନେଇ ଘରକୁ ଫେରିଛନ୍ତି। ତେବେ ହସ୍ପିଟାଲରୁ ବାହାରିବାବେଳେ ତାଙ୍କ ପୁଅ ନୁସରତଙ୍କ ପାଖରେ ନୁହେଁ, ତାଙ୍କ ପ୍ରେମିକ ୟଶ୍‌ ଦାସଗୁପ୍ତାଙ୍କ କୋଳରେ ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନୁସରତ ତାଙ୍କ ପୁଅ ଇଶାନ ଏବଂ ପ୍ରେମିକଙ୍କ ସହ ଡାକ୍ତରଖାନାରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଇଶାନ ୟଶ୍‌ଙ୍କ କୋଳରେ ନଜର ଆସିଥିଲେ। ନୁସରତ ଡାକ୍ତରଖାନା ଛାଡି ସିଧା କାରରେ ବସିଥିଲେ।
ନୁସରତ କୋଲକାତାର ପାର୍କ ଷ୍ଟ୍ରିଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଗତ ୨୬ ତାରିଖ ଦିନ ପ୍ରାୟ ୧୨.୨୦ ସମୟରେ ନିଜ ପୁଅକୁ ଜନ୍ମ ଦେଇଥିଲେ। ନୁସରତଙ୍କ ସହ ପ୍ରେମିକ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ଏଥି ସହ ନୁସରତଙ୍କଠାରୁ ଅଲଗା ହୋଇଥିବା ସ୍ବାମୀ ନିଖିଲ ଜୈନ ମଧ୍ୟ ସ୍ତ୍ରୀ ଏବଂ ନବଜାତ ଶିଶୁକୁ ଶୁଭେଚ୍ଛା ଜଣାଇଥିଲେ। ନିଖିଲ କହିଛନ୍ତି, ଆମ ମଧ୍ୟରେ ପାର୍ଥକ୍ୟ ଥାଇପାରେ, ତଥାପି ମୁଁ ନବଜାତ ଶିଶୁ ଏବଂ ତାଙ୍କ ମା’ଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।
ନୁସରତ ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଗର୍ଭଧାରଣ ବିଷୟରେ ଚର୍ଚ୍ଚାରେ ଥିଲେ। ନୁସରତ ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ପରେ ଚଳିତବର୍ଷ ଆରମ୍ଭରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଏବେ ସେମାନେ ପରସ୍ପର ଅଲଗା ରହୁଛନ୍ତି। ନିଖିଲଙ୍କଠାରୁ ଅଲଗା ହେବା ପରେ ନୁସରତ ଏବେ ୟଶଙ୍କୁ ଡେଟ୍‌ କରୁଛନ୍ତି।

Share