କୋଭିଡ୍‌ ସମୟରେ ପୋଷଣ ଓ ସ୍ବାସ୍ଥ୍ୟ

ଶୁଭନାରାୟଣ ଶତପଥୀ

ଆମେ ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହିଁଥାଉ। ଏହି ସୁସ୍ଥ ସ୍ବାସ୍ଥ୍ୟ ହିଁ ଆମକୁ ପୋଷଣରୁ ମିଳିଥାଏ; ଯାହା ଖାଦ୍ୟରେ ଥିବା ପୋଷକତତ୍ତ୍ୱ ଯଥା- ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରାଲରୁ ମିଳିଥାଏ। ସନ୍ତୁଳିତ ଖାଦ୍ୟ ହିଁ ଏକ ସନ୍ତୁଳିତ ସ୍ବାସ୍ଥ୍ୟର ଗଠନରେ ସହାୟକ ହୁଏ। ଏଣୁ ସ୍ବାସ୍ଥ୍ୟ ପାଇଁ ପୋଷଣର ଆବଶ୍ୟକତା ଢେର ବେଶି। ପ୍ରକୃତିରେ ପୋଷକତତ୍ତ୍ୱ ଭରପୂର ମାତ୍ରାରେ ଭରି ରହିଛି। କେବଳ ଆମକୁ ଉପତ୍ାଦନ କରିବାର ଆବଶ୍ୟକତା ରହିଛି। ଯଥେଷ୍ଟ ପରିମାଣରେ ଋତୁକାଳୀନ ଫଳ, ପନିପରିବା, ଶାଗ, ଗହମ, ବାଜରା, ଡାଲି, ମକା, କ୍ଷୀର ଓ ତଜ୍ଜନିତ ଖାଦ୍ୟ ଇତ୍ୟାଦି ଉପଲବ୍ଧ ରଖିବା ଜରୁରୀ। ସବୁଠାରୁ ବଡ଼କଥା ହେଉଛି ଯଥେଷ୍ଟ ପରିମାଣର ପାଣି ପିଇବା ଆବଶ୍ୟକ। ଏଣୁ ଖାଦ୍ୟର ସ୍ବାଦ ସହିତ ପୋଷକତତ୍ତ୍ୱ ପ୍ରତି ଧ୍ୟାନ ରଖି ଖାଦ୍ୟ ଗ୍ରହଣ କଲେ ଅନେକ ରୋଗ ଦାଉରୁ ରକ୍ଷା ପାଇପାରିବା।
ବର୍ତ୍ତମାନ କୋଭିଡ୍‌ର ସମୟ। ସାରା ବିଶ୍ୱ କୋଭିଡ୍‌ ସଂକ୍ରମଣରେ ଜର୍ଜରିତ। ଏ ସମୟରେ ନିଜକୁ ସୁସ୍ଥ ରଖିବାକୁ ହେଲେ ସନ୍ତୁଳିତ ଆହାର ଓ ପୋଷଣର ଢେର ଆବଶ୍ୟକତା ରହିଛି। ସବୁପ୍ରକାର ଖାଦ୍ୟକୁ ଗ୍ରହଣ କରିବାର ଆଗ୍ରହ ନିଜ ଭିତରେ ବୃଦ୍ଧି କରିବା ଜରୁରୀ। ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଦୈନନ୍ଦିନ ବ୍ୟାୟାମ କରିବା, ନିଶା ଓ ମଦ୍ୟପାନଠାରୁ ନିଜକୁ ଦୂରେଇ ରଖି ସୁସ୍ଥ ଜୀବନଶୈଳୀକୁ ଆପଣେଇଲେ କୋଭିଡ୍‌ ସଂକ୍ରମଣକୁ କିଛିମାତ୍ରାରେ କମାଇ ହେବ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇହେବ। ଫ୍ୟାଟ୍‌, ଶର୍କରା, ଲୁଣ ଗ୍ରହଣ କରିବାର ଆବଶ୍ୟକତାକୁ ମଧ୍ୟ ନିର୍ଦ୍ଦିଷ୍ଟ କରିବାକୁ ହେବ।
ଓ୍ବାଲର୍‌ଡ ବ୍ୟାଙ୍କ ରିପୋର୍ଟ ଅନୁସାରେ ଯଦିଓ କୋଭିଡ୍‌ ପୂର୍ବରୁ ଅନେକ ଦେଶରେ ଖାଦ୍ୟ ନିରାପତ୍ତା ନ ଥିବାରୁ ବିକାଶ ବାଧାପ୍ରାପ୍ତ ହୋଇଆସୁଥିଲା, ତେବେ ବର୍ତ୍ତମାନ କୋଭିଡ୍‌ ପ୍ରଭାବରେ ଏହା ବହୁଗୁଣିତ ହୋଇଛି। ଏହା ଆର୍ଥତ୍କ ମେରୁଦଣ୍ଡକୁ ଦୁର୍ବଳ କରିବା ସହ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି କରିଛି। ୪୮ଟି ଦେଶକୁ ନେଇ କରାଯାଇଥିବା ତୁରନ୍ତ ଫୋନ୍‌ ସର୍ଭେରୁ ଜଣାପଡିଛି ଯେ, ଲୋକମାନେ ଆବଶ୍ୟକ ପରିମାଣର ପୋଷକଗୁଣ ଥିବା ଖାଦ୍ୟ ନ ଖାଇବା ବା ପୋଷଣ ସହ ସାଲିସ କରୁଥିବା ଯୋଗୁ କେବଳ ଖରାପ ସ୍ବାସ୍ଥ୍ୟ, ଗରିବୀ କବଳରେ ପଡ଼ିନାହାନ୍ତି ବରଂ ଛୋଟ ପିଲାମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରିଛି। ମିଳିତ ଜାତିସଂଘର ରାଷ୍ଟ୍ର ଖାଦ୍ୟ ନିରାପତ୍ତା ଓ ପୋଷଣ ରିପୋର୍ଟ ମୁତାବକ ୭୨୦ରୁ ୮୧୧ ମିଲିୟନ ଲୋକ ସାରା ବିଶ୍ୱରେ ୨୦୨୦ ମସିହାରେ ଭୋକର ଭୂଗୋଳ ମଧ୍ୟକୁ ଚାଲିଯାଇଛନ୍ତି। ଏହି ଗୋଟିଏ ବର୍ଷ ମଧ୍ୟରେ ଭୋକିଲା ଲୋକଙ୍କ ସଂଖ୍ୟାରେ ୩୨୦ ମିଲିୟନ ବୃଦ୍ଧି ଘଟିଛି। ଖାଦ୍ୟ ନିରାପତ୍ତା ନ ରହିବା କାରଣରୁ ଜୀବନ ଓ ଜୀବିକା ବିପନ୍ନ ହୋଇଛି।
କୋଭିଡ୍‌ ସଂକ୍ରମଣର ଆସନ୍ନ ତୃତୀୟ ଲହର ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏ ସମୟରେ ଶିଶୁଙ୍କ ପୋଷଣର ଗୁରୁତ୍ୱ ଢେର ବେଶି। ବିଶେଷକରି ଯେଉଁ ଶିଶୁମାନେ ଯାଯାବର ଗୋଷ୍ଠୀ ମଧ୍ୟରେ ରହୁଛନ୍ତି, ଗରିବୀ, ଅସ୍ବାସ୍ଥ୍ୟକର ପରିବେଶ ଓ ଖାଦ୍ୟନିଅଣ୍ଟିଆ ସ୍ଥିତିକୁ ସାମ୍ନା କରୁଛନ୍ତି, ସେମାନଙ୍କୁ ଏ ସମୟରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉଚିତ। ଶରୀରରେ ପୋଷକତତ୍ତ୍ୱର ବୃଦ୍ଧି ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ବିଶ୍ୱରେ ୧.୯ ବିଲିୟନ ଅଧିକ ଓଜନ ବିଶିଷ୍ଟ ଓ ୪୬୨ ମିଲିୟନ କମ୍‌ ଓଜନ ବିଶିଷ୍ଟ ଲୋକ ବସବାସ କରୁଛନ୍ତି । ସେହିପରି ୨୦୨୦ ମସିହାରେ ସାରା ବିଶ୍ୱରେ ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ ୧୪୯ ମିଲିୟନ ବୟସ ଦୃଷ୍ଟିରୁ ଛୋଟ ଓ ୪୫ ମିଲିୟନ ଉଚ୍ଚତା ଅନୁସାରେ ପତଳା ହୋଇଥିବା ବେଳେ, ୩୮.୯ ମିଲିୟନ ଶିଶୁ ଅଧିକ ଓଜନର ଶିକାର ହୋଇଛନ୍ତି। ଅପରପକ୍ଷରେ ୫ବର୍ଷ ବୟସରୁ କମ୍‌ ବୟସର ମୋଟ ଶିଶୁମାନଙ୍କର ହେଉଥିବା ମୃତ୍ୟୁର ପ୍ରାୟ ୪୫ ଶତକଡା ଅପପୁଷ୍ଟିର କାରଣ। ନିଃସନ୍ଦେହରେ କୁହାଯାଇପାରେ ଯେ, ଏହି ଶିଶୁମାନଙ୍କର ଖାଦ୍ୟ ଆଦୌ ସନ୍ତୁଳିତ ନୁହେଁ। ଏଣୁ ଏମାନଙ୍କଠାରେ ସଂକ୍ରମଣର ମାତ୍ରା ଅଧିକ ରହିବା ସ୍ବାଭାବିକ କଥା। ଏଣୁ ଏହି ଶିଶୁମାନେ ଉପଯୁକ୍ତ ପୋଷଣ, ଯତ୍ନ, ସହାୟତା ଲୋଡ଼ିଥାନ୍ତି। ଅପରପକ୍ଷରେ ଯେଉଁଠି ମାତାପିତା, ଅଭିଭାବକ କୋଭିଡ୍‌ ସଂକ୍ରମିତ ହେଉଛନ୍ତି ବା ହୋଇଛନ୍ତି, ପୃଥକବାସରେ ରହୁଛନ୍ତି, ସାଧାରଣତଃ ସଂପୃକ୍ତ ପରିବାରର ଶିଶୁମାନଙ୍କର ମଧ୍ୟ ଦେଖାଶୁଣା, ଯତ୍ନରେ ହେଳା ହୋଇଥାଏ। ସେହିପରି ଲକ୍‌ଡାଉନ, ଶଟ୍‌ଡାଉନ କାରଣରୁ ଆୟ କମୁଥିବାରୁ ଏହା ସିଧାସଳଖ ଖାଦ୍ୟପୋଷଣ ଉପରେ କୁପ୍ରଭାବ ପକାଉଛି। କୋଭିଡ୍‌ ପରବର୍ତ୍ତୀ ରୋଗର ଶିକାର ହେଉଥିବା ବ୍ୟକ୍ତି ଡାକ୍ତରଖାନା ଯିବା, ମାନସିକସ୍ତରରେ ଦୁର୍ବଳ ହେବା କାରଣରୁ ମଧ୍ୟ ନକାରାତ୍ମକ ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଛି। ଏପରି କେତେକ କ୍ଷେତ୍ରରେ ଶିଶୁମାନଙ୍କର ମାନସିକ, ଶାରୀରିକ ଅଭିବୃଦ୍ଧି ଓ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଲୋକମାନଙ୍କ ଉପସ୍ଥିତିରେ ପୋଷଣ ସମ୍ବନ୍ଧୀୟ ବ୍ୟାପକ ସଚେତନତା, ସଭା, ପ୍ରଦର୍ଶନ ହୋଇପାରୁ ନ ଥିବା କାରଣରୁ ଖାଦ୍ୟରେ ପୋଷକତତ୍ତ୍ୱ ସମ୍ବନ୍ଧୀୟ ଅଜ୍ଞତା ବୃଦ୍ଧିପାଉଛି। ଅଙ୍ଗନଓାଡି ସେବାକୁ ଘରେଘରେ ପହଞ୍ଚାଇବାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହ ଭର୍ଚୁଆଲ, ଟିଭି, ରେଡିଓ, ପ୍ରଚାର ଗାଡ଼ି ମାଧ୍ୟମରେ ସଚେତନତା ଲୋଡ଼ା। ଏମ୍‌.ୟୁ.ଏ.ସି., ବି.ଏମ.ଆଇ. ପରିମାପକ ଦ୍ୱାରା ପ୍ରତ୍ୟେକ ଶିଶୁମାନଙ୍କର ପୋଷଣ ସ୍ଥିତିକୁ ମାତାପିତା ଜାଣିବା ଓ ନିରନ୍ତର ନିରୀକ୍ଷଣ କରିବା ଉଚିତ। ସେମାନଙ୍କୁ ପରାମର୍ଶ ଦେବା ଓ ଖାଦ୍ୟନିରାପତ୍ତା ଯୋଜନା ସହ ଯୋଡ଼ିବା ଜରୁରୀ। ତେବେ ଏହି କୋଭିଡ୍‌ ସମୟରେ ଗ୍ରାମ୍ୟକୃଷିରେ ଯୁବ ସମାଜକୁ ଅଧିକ ମାତ୍ରାରେ ନିୟୋଜିତ କରିବାକୁ ଅଭିନବ ପ୍ରୟାସ କରାଯିବା ଦ୍ୱାରା ଯୁବବର୍ଗଙ୍କ ଆୟ ବଢ଼ିବ, ପଡ଼ିଆ ଜମିରେ ଫସଲ ହେବ, ଘରେଘରେ ପାକଶାଳା ବଗିଚାର ନିର୍ମାଣ କରାଯିବ ଓ ଅପପୁଷ୍ଟି କମିବ। ବଜାରରେ ଯଥେଷ୍ଟ ପନିପରିବା, ଖାଦ୍ୟଶସ୍ୟ ଉପଲବ୍ଧି, ରପ୍ତାନି, ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ, ଅଧିକ ବଜାର ସୃଷ୍ଟି, ଭର୍ଚୁଆଲ ବଜାର ମାଧ୍ୟମରେ ରୋଜଗାର ଯୋଗାଇବା ସହ ଗଁାଠାରୁ ସହର ପର୍ଯ୍ୟନ୍ତ ପୋଷଣକୁ ପରିପୁଷ୍ଟ କରିବ। ଏପରି ଆଞ୍ଚଳିକ ପୋଷଣ ଓ ଶିଶୁ ସୁଲଭ ପରିବେଶର ବ୍ୟବସ୍ଥା ଶିଶୁ ଜୀବନରେ ହସ ଭରିଦେବ।
ଲକ୍‌ଡାଉନ, ଶଟ୍‌ଡାଉନ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଶିଶୁ ପୋଷଣ ଓ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଶିଶୁଟି କେବଳ ଯେ ଅବହେଳାର ଶିକାର ହୋଇଥାଏ ତାହା ନୁହେଁ ବରଂ ଏହି ସମୟରେ ଶିଶୁମାନଙ୍କ ପ୍ରତି ଶାରୀରିକ ଯାୈନଗତ ନିର୍ଯାତନା, ବାଲ୍ୟବିବାହ, କିଶୋରୀ ସ୍ବାସ୍ଥ୍ୟ ପ୍ରତିି ବିପଦ ସୃଷ୍ଟି ହୋଇଥାଏ । ଏପରି ଏକ ସମ୍ବେଦନଶୀଳ ବିଷୟ ଆମର ଭବିଷ୍ୟତକୁ ନିୟନ୍ତ୍ରିତ କରୁଥିବାରୁ ଏହି ଶିଶୁମାନଙ୍କୁ ଏ ବିପଦସଙ୍କୁଳ ସ୍ଥିତିଠାରୁ ଦୂରେଇ ରଖିବାର ସମସ୍ତ ପ୍ରୟାସ କରାଯିବା ଉଚିତ। ମାତାପିତାମାନେ ଶିଶୁମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ହୋଇ କାର୍ଯ୍ୟକଲେ ଓ ସରକାରଙ୍କ ଶିଶୁ ବିକାଶ ଯୋଜନା, ଶିଶୁ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟ ମିଶନ, ପୋଷଣ ଥଇଥାନ କେନ୍ଦ୍ର, ପୋଷଣ ଅଭିଯାନ ଆଦିର ଲାଭ ନେଲେ ପୋଷଣ ଓ ଶିଶୁ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟାରୁ ବିଶ୍ୱକୁ ଉଦ୍ଧାର କରାଯାଇପାରିବ। ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ଅନ୍ତର୍ଗତ ଭୋକିଲାଙ୍କ ସଂଖ୍ୟାକୁ ଶୂନରେ ପହଞ୍ଚାଇବାର ସଂକଳ୍ପ ନେଇ ସ୍ଥାୟୀ କୃଷି ପଦ୍ଧତି ଓ ସ୍ଥାନୀୟ ପୋଷଣ ବ୍ୟବସ୍ଥାକୁ ନିଶ୍ଚିତ କରାଗଲେ ସ୍ବାସ୍ଥ୍ୟଗତ ସମୃଦ୍ଧି ଘଟିବ ଓ କୋଭିଡ୍‌ ସହ ଲଢ଼ିବାରେ ଅଧିକ ସମର୍ଥ ହୋଇପାରିବା।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ।...

ଆମ ପାଇଁ ବହି କାହିଁ

ଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି,...

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ...

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ...

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri