ପଟ୍ଟାମୁଣ୍ଡାଇ,୧୫ା୭ (କଳ୍ପତରୁ ନାୟକ): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସୁରକ୍ଷା ପାଇଁ ହୋଇଥିବା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହି ବିପଦକୁ ଆମନ୍ତ୍ରଣ କରୁଛି। ଏଭଳି ଏକ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ। ତେଣୁ ଏହି ବାତ୍ୟା ଆଶ୍ରୟସ୍ଥଳର ଏଭଳି ଅବସ୍ଥା ଦେଖି ଗ୍ରାମବାସୀଙ୍କ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି।
ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନସ୍ଥାନରେ ୧୯୯୯ ମହାବାତ୍ୟା ପରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ସେହିଭଳି ଖଡ଼ଇଣ୍ଟା ଗଁା ସ୍କୁଲ ପରିସରରେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା। ଏବେ ସେହି ବାତ୍ୟା ଆଶ୍ରୟସ୍ଥଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ୨ ମହଲାବିଶିଷ୍ଟ ଗୃହଟିରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଝରକା କବାଟ ଭାଙ୍ଗି ଯାଇଛି। ବିପତ୍ତି ସମୟରେ ଏଠାରେ ଲୋକମାନେ ଆଶ୍ରୟ ନେବା ଆଉ ସମ୍ଭବ ନୁହେଁ। ଏହି କୋଠାର ତଳ ମହଲା ଅର୍ଥାତ୍ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୁହାଳଟିରେ କେହି ବସାଉଠା କରିବାକୁ ସାହସ କରୁନାହାନ୍ତି। ଏହାର ପାଖରେ ଖଡ଼ଇଣ୍ଟା ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି। ପିଲାମାନେ ସେଠାରେ ଖେଳକୁଦ ମଧ୍ୟ କରୁଛନ୍ତି। କିନ୍ତୁ ବାତ୍ୟା ଆଶ୍ରୟସ୍ଥଳଟି ବିପଦସଙ୍କୁଳ ବୋଲି କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେଣୁ ଉକ୍ତ କୋଠାଟିକୁ ମରାମତି କିମ୍ବା ତୁରନ୍ତ ଭାଙ୍ଗି ଦେବା ପାଇଁ ପୂର୍ବତନ ସରପଞ୍ଚ କଳାକାର ପ୍ରଧାନ, ଅଶୋକ ମହାନ୍ତି, ଅଜୟ ନାୟକ, ସୁଶାନ୍ତ ସାମଲ ଓ ପ୍ରଭାକର ସେଠୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ସେହିପରି ବ୍ଲକର ଅନ୍ୟ ୩୦ଟି ପଞ୍ଚାୟତରେ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳ ରାଜ୍ୟ ବାହାରର ସାଂସଦ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆର୍ଥକ ସହାୟତାରେ ନିର୍ମାଣ କରାଯାଇଥିଲା। ପ୍ରତିବର୍ଷ ନିୟମିତ ତଦାରଖ ଓ ପରିଚାଳନା ଅଭାବରୁ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଉଦ୍ଦିଷ୍ଟ ସରଞ୍ଜାମ କେଉଁଠି ଅଚଳ ତ କେଉଁଠାରେ ଖରାପ ହୋଇ କାର୍ଯ୍ୟରେ ଲାଗୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି ବିଭାଗ ମୁଣ୍ଡ ଖେଳାଉ ନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ବିପର୍ଯ୍ୟୟ ମୁକାବିଲା ନାମରେ ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ମକ୍ଡ୍ରିଲ କରାଯାଉଛି। ବହୁ ଆଶ୍ରୟସ୍ଥଳ ଅନ୍ୟଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅସୁରକ୍ଷିତ ହୋଇପଡ଼ିଛି। ବାତ୍ୟା ଓ ବନ୍ୟା ଆସିଲେ ବିଶେଷକରି ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ଏଗୁଡ଼ିକର କେବଳ ବ୍ୟବହାର ପାଇଁ ତତ୍ପରତା ଦେଖାଇଥାନ୍ତି। ଅନ୍ୟ ସମୟରେ ଏହି ଆଶ୍ରୟସ୍ଥଳର ଦୁରବସ୍ଥା ସମ୍ପର୍କରେ ସମୀକ୍ଷା କରିବାକୁ କୌଣସି ବିଭାଗ ପାଖରେ ସମୟ ନ ଥାଏ। ଏ ସମ୍ପର୍କରେ ପଟ୍ଟାମୁଣ୍ଡଇ ସହକାରୀ ଯନ୍ତ୍ରୀ ଜଳଧର ବେହେରାଙ୍କୁ ପଚାରିବାରେ ଆର୍ ଆଣ୍ଡ ବି ଅଧିକାରୀ ଯଦି ବିପଦପୂର୍ଣ୍ଣ ଅସୁରକ୍ଷିତ ଘୋଷଣା କରନ୍ତି ତା’ହେଲେ ଉକ୍ତ ବାତ୍ୟା ଆଶ୍ରୟସ୍ଥଳ ଉପରେ ପଦକ୍ଷେପ ନେଇ ମରାମତି କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ବାତ୍ୟା ଆଶ୍ରୟସ୍ଥଳର ଅବସ୍ଥା ଏତେ ଖରାପ ହୋଇଛି ଯେ ତାହା ମରାମତି ନୁହେଁ ବରଂ ତାକୁ ଭାଙ୍ଗି ସମ୍ପୂର୍ଣ୍ଣ ନୂଆ ଭାବେ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।