ମା’ଙ୍କ ଗୀତର ତାଳେ ତାଳେ ଝୁମିଲେ ଝିଅ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍ସରେ ଶାହରୁଖ ଖାଁଙ୍କ ଲଳନା ସୁହାନା ଖାଁ, ସୈଫ ଅଲ୍ଲୀ ଖାଁଙ୍କ ଝିଅ ସାରା ଅଲ୍ଲୀ ଖାଁ ଓ ଆମିର ଖାଁଙ୍କ ଝିଅ ଇରା ଖାଁ ପ୍ରାୟତଃ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ବଲିଉଡ୍‌ରେ ସାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଶାହରୁଖଙ୍କ ଝିଅ ସୁହାନା ଏବେ ଡେବ୍ୟୁ ଅପେକ୍ଷାରେ। ଅନ୍ୟପଟେ ଇରା ନିଜ ସାମାଜିକ କାର୍ଯ୍ୟ ପାଇଁ ବେଶ୍‌ ପରିଚିତ। ଇତିମଧ୍ୟରେ ଅଜୟ ଦେବଗନଙ୍କ ଝିଅ ନ୍ୟାସା ମଧ୍ୟ ଏହି ରେସ୍‌ରେ ପଛରେ ପଡ଼ିନାହାନ୍ତି। ଅଭିନେତ୍ରୀ ତଥା ମା’ କାଜଲଙ୍କ ଭଳି ଦେଖାଯାଉଥିବା ନ୍ୟାସା ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଅଜୟଙ୍କ ଝିଅ ଲାଇମଲାଇଟରୁ ଦୂରରେ ରହିବା ସତ୍ତ୍ୱେ ସେ ସୋସିଆଲ ମିଡିଆରେ ବେଶ୍‌ ପପୁଲାର। ନ୍ୟାସା ଏବେ ନିଜ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମା’ କାଜଲଙ୍କ କିଛି ଗୀତରେ ନ୍ୟାସା ଜବରଦସ୍ତ ଡାନ୍ସ କରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ସିଙ୍ଗାପୁରର ଏକ ସ୍କୁଲରେ ନ୍ୟାସା ପାଠପଢ଼ନ୍ତି। ସ୍କୁଲର ଏକ କାର୍ଯ୍ୟକ୍ରମରେ ନ୍ୟାସା କାଜଲଙ୍କ ସୁପରହିଟ୍‌ ଫିଲ ଗୀତ ‘ବୋଲେ ଚୁଡିଆ’, ‘ସଜଦା’ ଓ ‘ତେରେ ନୈନା’ରେ ଏକ ଗ୍ରୁପ୍‌ ଡାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ନ୍ୟାସା ଦେବଗନଙ୍କ ଫ୍ୟାନ ଆକାଉଣ୍ଟରେ ଶେୟାର କରାଯାଇଛି। ନ୍ୟାସାଙ୍କ ଡାନ୍ସକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Share