Categories: ଖେଳ

ବିଶ୍ୱରେକର୍ଡ କଲା ନ୍ୟୁଜିଲାଣ୍ଡ

ଡବଲିନ୍‌,୧୧।୭: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳ ଏକ ବିଶ୍ୱରେକର୍ଡ ହାସଲ କରିଛି। ଟାର୍ଗେଟ୍‌କୁ ପିଛା କରି ଶେଷ ଓଭରରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ନ୍ୟୁଜିଲାଣ୍ଡ ନାଁରେ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଗୋଟିଏ ଉଇକେଟରେ ଜିତିଥିଲା ନ୍ୟୁଜିଲାଣ୍ଡ। ୩୦୧ ରନ୍‌କୁ ପିଛା କରି ନ୍ୟୁଜିଲାଣ୍ଡ ୪୯ତମ ଓଭରରେ ୨୮୧ ରନ୍‌ରେ ୯ ଉଇକେଟ୍‌ ହରାଇଥିଲା। ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ଜିତିବା ପାଇଁ ୨୦ ରନ ଆବଶ୍ୟକ ଥିଲା। ଲକି ଫର୍ଗୁସନ, ମାଇକେଲ ବ୍ରେସୱେଲ କ୍ରିଜରେ ଥିଲେ।
ଆୟର୍ଲାଣ୍ଡ ପାଇଁ ଶେଷ ଓଭର ବୋଲିଂ କରିବାକୁ କ୍ରେଗ ୟଙ୍ଗ ଆସିଥିଲେ। ବ୍ରେସୱେଲ ୧୦୩ ରନ୍‌ରେ ଖେଳୁଥିଲେ। ବ୍ରେସୱେଲ ଶେଷ ଓଭରର ପ୍ରଥମ ପାଞ୍ଚଟି ବଲରେ ମ୍ୟାଚ ଶେଷ କରିଥିଲେ। ବ୍ରେସୱେଲ ପ୍ରଥମ ଦୁଇଟି ବଲରେ ଚୌକା ମାରିଥିଲେ, ତୃତୀୟ ବଲ୍‌ରେ ଛକା, ଚତୁର୍ଥ ବଲ୍‌ରେ ଚୌକା ଏବଂ ପଞ୍ଚମ ବଲ୍‌ରେ ଛକା ମାରି ଦଳକୁ ବିଜୟ ଦେଇଥିଲେ। ଏହିପରି ନ୍ୟୁଜିଲାଣ୍ଡ ଶେଷ ଓଭରରେ ୨୪ ରନ ସ୍କୋର କରିଥିଲା। ବ୍ରେସୱେଲ ୮୨ ବଲରୁ ୧୨୭ ସ୍କୋର କରି ଅପରାଜିତ ରହିଥିଲେ।
ଏହା ପୂର୍ବରୁ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଟାର୍ଗେଟକୁ ପିଛା କରି ଶେଷ ଓଭରରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ନାମରେ ଥିଲା। ଉଭୟ ଦଳ ଶେଷ ଓଭରରେ ୨୦-୨୦ ରନ ସ୍କୋର କରିଥିଲେ।

Share