ଏଥର ଓଡ଼ିଆ ଭାଷାରେ ହେବ ଓଏଏସ୍‌ ପରୀକ୍ଷା

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଏଥର ଓଏଏସ୍‌ ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ତେବେ ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ନିଜ ମନ ମୁତାବକ ଭାଷା ବାଛି ପରୀକ୍ଷା ଦେବେ। ମେନ୍‌ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀ ଭାଷାରେ ହେଉଥିବା ବେଳେ ଏବେ ଓଡ଼ିଆରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

ଦୀର୍ଘଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଏନେଇ ଚିଠି ହୋଇଛି । ଏହାଫଳରେ ଅଧିକ ପରୀକ୍ଷାର୍ଥୀ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ଆଗ୍ରହୀ ହେବେ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍‌ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନ ଥିଲା। ଯାହା ଏବେ ହେବା ପାଇଁ ନିଷ୍ପତ୍ତି ହୋଇଛି।

ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିଶନ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ପରୀକ୍ଷାର୍ଥୀମାନେ ଅନ୍ୟାନ୍ୟ ଭାଷାରେ ପରୀକ୍ଷା ଦେଉଥିଲେ। ଏବେ କିନ୍ତୁ ଓଡ଼ିଆରେ ଓଏଏସ୍‌ ପରୀକ୍ଷା ଦେବେ।

Share