ଅଶ୍ଳୀଳ ଭିଡିଓ ପଠାଇ ଅଡୁଆରେ ଓଏଏସ୍‌ ଅଫିସର

ଭୁବନେଶ୍ୱର,୭।୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଅଡୁଆରେ ପଡିଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଓଏଏସ୍‌ ଅଫିସର। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଚାକିରିରୁ ବିଦା କରିଦେବାର ଧମକ ଦେଉଛନ୍ତି। ଶେଷରେ କିଛି ଉପାୟ ନ ପାଇ କର୍ମଚାରୀ ଜଣକ ଏନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗକାରିଣୀଙ୍କ ଘର କେନ୍ଦ୍ରାପଡା ଜିଲାରେ ହୋଇଥିବାବେଳେ ସେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ାରେ ରହି ନ’ ତାଲାରେ ଥିବା ଏକ ସରକାରୀ ବିଭାଗରେ ଚାକିରି କରନ୍ତି। ଚୁକ୍ତି ଭିତ୍ତିରେ ଆକାଉଟାଣ୍ଟସ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଓଏଏସ୍‌ ଅଫିସର ଜଣକ ଉକ୍ତ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ଅଭିଯୋଗ ଅନୁଯାୟୀ, ଅଫିସର ଜଣକ ତାଙ୍କ ଉପରେ ବହୁଦିନ ହେବ ଖରାପ ନଜର ପକାଇ ଆସୁଛନ୍ତି। ଜୁନ୍‌ ୨୮ରୁ ସେ ତାଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ପ୍ରଥମେ ଅଶ୍ଳୀଳ ମେସେଜ ପଠାଇଥିଲେ। ପରେ ନଗ୍ନ ଭିଡ଼ିଓ ପଠାଉଛନ୍ତି। ପ୍ରତିବାଦ ପରେ ଅଫିସର ଜଣକ ନ ମାନି ନାଲିଆଖି ଦେଖାଇବାରୁ ଶେଷରେ ମହଳା କର୍ମଚାରୀ ଜଣକ ତାଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ବ୍ଲକ୍‌ କରିଦେଇଥିଲେ। ଏହାସତ୍ତ୍ୱେ ଉକ୍ତ ଅଫିସରଙ୍କ ପାଗଳାମି କମି ନ ଥିଲା। ସେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଫୋନ୍‌ କରି ଗାଳିଗୁଲଜ କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇ କଥା ହୋଇଥିଲେ। ଉକ୍ତ କଥାବାର୍ତ୍ତାର ଅଡିଓକୁ ମଧ୍ୟ ଅଭିଯୋଗବେଳେ ପୋଲିସକୁ ଦେଇଛନ୍ତି। ତେବେ ଗତ ଶୁକ୍ରବାର ଅଫିସର ପୁଣି ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀ ଏହାର ପ୍ରତିବାଦ କରିବାକୁ ତାଙ୍କୁ ଚାକିରିରୁ ବିଦା କରି ଦେବାକୁ ଧମକ ଦେଇଥିଲେ। ଏହାକୁନେଇ ମହିଳା କର୍ମଚାରୀ ଜଣକ ମାନସିକ ଚିନ୍ତାରେ ରହିବା ସହ ଅଫିସ ଯିବାକୁ ଡରୁଛନ୍ତି। ଅଫିସରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି।
ଏନେଇ ଥାନାଧିକାରୀ ବନିତା ମହାରଣା କହିଛନ୍ତି, ଅଫିସଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ଚାଲିଛି। ସତ୍ୟାସତ୍ୟ ଜଣାପଡିଲେ ମାମଲା ରୁଜୁ ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share