ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, ନୂଆପଡା ଓ ପଡୋଶୀ ଛତିଶଗଡ଼ ସୀମାକୁ ଲାଗି ରହିଛି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ମାଫିଆ ପ୍ରବେଶ କରି ଜଙ୍ଗଲର ସବୁଜିମାପୂର୍ଣ୍ଣ ଅଞ୍ଚଳକୁ ନଷ୍ଟ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ମକାଚାଷ କରି ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ପଦା କରି ଦେଉଛନ୍ତି।

ଏନେଇ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ଓ ଭିଏସ୍‌ଏସ୍‌ (ବନ ସୁରକ୍ଷା ସମିତି)କମିଟି ପକ୍ଷରୁ ବିଗତ ବର୍ଷରେ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଜଙ୍ଗଲ ମାଫିଆଙ୍କ ଉତ୍ପାତ କମିବାର ନାଁ ଧରୁନାହିଁ। ପ୍ରତିବର୍ଷ ସଂରକ୍ଷିତ ଜଙ୍ଗଲରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ବନବିଭାଗ ଅଧିକାରୀ ନାମକୁ ମାତ୍ର ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହିଥିବା ଭଳି ମନେ ହେଉଛି।

ରବିବାର ଏନେଇ ଧର୍ମଗଡ ବନାଞ୍ଚଳ ବେହେରା ସେକ୍ସନ ଗୋତମୁଣ୍ଡା ବିଟ ଅଞ୍ଚଳରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ପକ୍ଷରୁ ଏକ ବୈଠକ ପାଣିନାଲା ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାହାଜଖୋଲ ଜଙ୍ଗଲର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ବୈଠକର ସଭାପତି ଜଙ୍ଗଲ ସୁରକ୍ଷା କମିଟିର ଅସ୍ଥାୟୀ ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଆମପାଣି ଯୋନ ଜିଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୁଖ୍ୟବକ୍ତା ଭାବେ ଭିଏସ୍‌ଏସ୍‌ କମିଟି ସଭାପତି ଭଜମନ ନାଏକ, ସମ୍ମାନିତ ଅତିଥି ଭାବେ ସାନପୋଡ଼ାଗୁଡ଼ା ସରପଞ୍ଚ ଜୟରାମ ନାଗ, ସୁଧୀର ବାଗ, ଲିଙ୍ଗରାଜ ନାଏକ, କୁଶଧ୍ୱଜ ନାଏକ, ସୁବାସ ଖର୍ସେଲ, ଭରତ ମାଝୀ, ପୂର୍ବତନ ସଭାପତି ଭୁଜବଲ ସୋରି, ତ୍ରିନାଥ ପୋଟା, ତ୍ରିନାଥ ପୂଝାରି, କୁମରମଣି ବାଗ, ନକୁଳ ନାଏକ, ରଘୁନାଥ ନାଏକ, ନେତ୍ରମଣି ନାଏକ, ଗଜିନ୍ଦ୍ର ଧ. ମାଝୀ, ଶୁକଚନ ଚଲାନ, ଡମ୍ବରୁ ମାଝୀ, ସଞ୍ଜୟ କାଣ୍ଡ, ସମାଜସେବୀ ହିମାଞ୍ଚଳ ପୂଝାରି ଓ ଶତାଧିକ ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲର ସୁରକ୍ଷା ନେବାପାଇଁ ଶପଥ ନେଇଥିଲେ।

ଏହି ବୈଠକରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ଏହି କ୍ରମରେ ୫୨ଟି ଭିଏସ୍‌ଏସ୍‌ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଆଦିବାସୀ ଯୁବନେତା ହେମନ୍ତ କୁମାର ମାଝୀ, ଉପସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭାବେ ଭଜମନ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରି, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ ନୂତନ ଭାବେ କର୍ମକର୍ତ୍ତା ରୂପେ ମନୋନୀତ ହୋଇଛନ୍ତି। ଧର୍ମଗଡ଼ ବନାଞ୍ଚଳ ବେହେରା ଓ ଆମପାଣି ସେକ୍ସନ ଜଙ୍ଗଲ ସୁରକ୍ଷା ପାଇଁ ଆଗାମୀ ଦିନରେ ଭିଏସ୍‌ଏସ୍‌ କମିଟି ସହ ମିଳିତ ଭାବେ ପ୍ରାଣପଣେ ଚେଷ୍ଟା ଜାରି ରଖିବୁ ବୋଳି ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନେ ମତପ୍ରକାଶ କରିଛନ୍ତି।

Share