Categories: ଜାତୀୟ

ଚରଣଜିତ୍ ନେଲେ ପଞ୍ଜାବର ଶାସନ ଭାର, ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌

ଚଣ୍ଡିଗଡ଼,୧୯ ।୯: ବହୁ ମନ୍ଥନ ପରେ ଶେଷରେ କେବେ ଗଣମାଧ୍ୟମର ଦୃଷ୍ଟି ଗୋଚର ହୋଇ ନ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂ ଚାନିଙ୍କୁ ମୁଳିଛି ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ । ମାତ୍ର କେଇମାସ ପାଇଁ ହେଲେ ବି ଏହା ତାଙ୍କ ଜୀବନର ଏକ ବଡ ସୁଯୋଗ ବୋଲି କୁହାଯାଉଛି । ସୋମବାର ସକାଳ ୧୧ଟାରେ ସେ ଶପଥ ନେବେ । ଚାନି ଦଳିତ ସମ୍ପ୍ରଦାୟର ହୋଇଥିବା ବେଳେ ସେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ଶିକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ଚମକୌର ବିଧାନସଭା ଆସନରୁ ସେ ବିଧାୟକ ହୋଇଥିବା ବେଳେ ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ରହି ସାରିଛନ୍ତି । ଚାନିଙ୍କ ନାମ ହରିଶ ରାୱତ ଟୁଇଟ୍ କରିବା ପରେ ଏହାକୁ ନେଇ ସୁଖଜିନ୍ଦର କହିଛନ୍ତି ଚାନି ମୋର ଛୋଟ ଭାଇ ଭଳି ଏଥିରେ ମୁଁ ଖୁସି କାରଣ ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି ଏହାକୁ ମୁଁ ସ୍ୱାଗତ କରୁଛି । ମୁଖ୍ୟମନ୍ତ୍ରୀ ଭାବେ ଚାନିଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରଥମଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ପ୍ରଥମେ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପୂର୍ବରୁ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଚାନିଙ୍କୁ ସ୍ୱାଗତ ଜଣାଇବା ସହ ସେ ଏହି ସୀମା ରାଜ୍ୟର ସୁରକ୍ଷା କରିବେ ବୋଲି ଅମରିନ୍ଦର କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଆସନରେ ଚାନି ବସିବାକୁ ଯାଉଥିବା ବେଳେ ଏବେ ରାଜନୀତି ହୋଇଛି ଆହୁରି ସରଗରମ ।

Share