Categories: ଖେଳ

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ ୩ଥର ତାଙ୍କ ଠିକଣା ଦେବାରେ ବିଫଳ ହୋଇଥିବାରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା) ଦ୍ୱାରା ସେ ସସ୍‌ପେଣ୍ଡ ହୋଇଛନ୍ତି। ଗତବର୍ଷ ଏସିଆନ ଗେମ୍ସ ବେଳେ ପରବିନ ମହିଳା ୫୭କେଜି ଓଜନ ଶ୍ରେଣୀରେ ଏକ ଅଲିମ୍ପିକ କୋଟା ହାସଲ କରିଥିଲେ। ଓ୍ବାଡା ନିୟମାନୁସାରେ ସେ ୨୦୨୨ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କ ଠିକଣା ଦେବାରେ ବିଫଳ ହୋଇଛନ୍ତି। ଓ୍ବାଡା ତାଙ୍କୁ ୧.୫ ବର୍ଷ ସସ୍‌ପେଣ୍ଡ କରିଛି। ଚଳିତମାସରୁ ଏହା ଲାଗୁ ହେବ। ଏହାର ଅବଧି ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ରହିବ ବୋଲି ପରବିନଙ୍କ କୋଚ୍‌ ସୁଧୀର ହୁଦା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଆର୍‌ଟିପି)ର ତାଲିକାଭୁକ୍ତ ଆଥ୍‌ଲେଟମାନେ କୌଣସି କାରଣରୁ ତାଙ୍କ ବାସସ୍ଥାନ ବଦଳାଇଲେ ତାହାର ସମ୍ପୂର୍ଣ୍ଣ ଠିକଣା ଅବଗତ କରାଇବାକୁ ପଡ଼ିବ। ବାସସ୍ଥାନ ପରିବର୍ତ୍ତନର କାରଣ ଏବଂ ସେଠାରେ କେତେଦିନ ବିତାଇବେ ସେ ବିଷୟରେ ମଧ୍ୟ ଜଣାଇବାକୁ ହେବ। ପରବିନଙ୍କ ମାମଲା ଲଢୁଥିବା ଓକିଲ ବିଦୁସ୍ପାତ ସିଂଘାଣିଆ କହିଛନ୍ତି, ଦଣ୍ଡକୁ ସମ୍ପୂର୍ଣ୍ଣ ହଟାଇବା ଅବା ହ୍ରାସ କରିବା ଲାଗି ସେମାନେ ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ସହ ଯୋଗାଯୋଗରେ ଅଛନ୍ତି। ପରବିନଙ୍କ ବାସନ୍ଦ ଦଣ୍ଡ ଯଦି ୧ ବର୍ଷକୁ ହ୍ରାସ କରାଯାଏ ତେବେ ସେ ଜୁଲାଇ-ଅଗଷ୍ଟରେ ହେବାକୁଥିବା ପ୍ୟାରିସ ଗେମ୍ସରେ ଭାଗ ନେବାରୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ ୫୭କେଜି ଶ୍ରେଣୀରେ ସାନି କୋଟା ଦାବି କରିବା ଲାଗି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା କେବଳ ୪ଜଣ ବକ୍ସର କୋଟା ହାସଲ କରିବାରେ ସମର୍ଥ ହୋଇପାରିଛନ୍ତି। ସେମାନେ ହେଲେ ନିଖତ ଜରିନ (୫୦କେଜି), ପ୍ରୀତି (୫୪କେଜି), ପରବିନ (୫୭କେଜି) ଓ ଲଭଲିନା ବର୍ଗୋହେନ୍‌ (୭୫କେଜି)।

Share