Categories: ଜାତୀୟ

ଓବିସି ସଂଶାଧନ ବିଲ୍‌ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍‌-୨୦୨୧ ପାସ୍‌ ହୋଇଛି। ଏହାକୁ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏହି ସଂଶାଧନ ବିଲ ଦ୍ୱାରା ରାଜ୍ୟ ସରକାର ଏଣିକି ଓବିସି ତାଲିକା ପ୍ରସ୍ତୁତ କରିପାରିବେ। ସର୍ବସମ୍ମତି କ୍ରମେ ଏହି ବିଲ ପାରିତ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହି ସଂଶୋଧନକୁ ବହୁ ଆଞ୍ଚଳିକ ଦଳ ତଥା ଶାସକ ଦଳର ଓବିସି ନେତାମାନେ ଦାବି କରିଆସୁଥିଲେ।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ବିଲ ସଂସଦରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ମେ ମାସରେ ସୁପ୍ରିମକୋର୍ଟ ଏହି ଆବେଦନ ଶୁଣାଣି କରି କହିଥିଲେ ଯେ, ଓବିସି ସମ୍ପ୍ରଦାୟ ସହ ଜଡିତ ଏକ ତାଲିକା ପ୍ରସ୍ତୁତ କରିବାକୁ କେବଳ କେନ୍ଦ୍ର ସରକାରଙ୍କର ଅଧିକାର ରହିଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏନେଇ ଆପତ୍ତି ଉଠାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ସାମ୍ବିଧାନିକ ସଂଶୋଧନ ବିଲ ଆଣି ଏହାକୁ ଆଇନଗତ କରିବାକୁ ଚାହୁଁଛନ୍ତି।
ସମ୍ବିଧାନର ଧାରା ୩୪୨-ଏବଂ ୩୬୬(୨୬)-ସି ରେ ସଂଶୋଧନ ବିଲ୍‌ ସଂସଦରେ ଅନୁମୋଦନ ହେବା ପରେ, ରାଜ୍ୟଗୁଡ଼ିକ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଓବିସି ବର୍ଗରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଇବାର କ୍ଷମତା ପାଇବେ। ଏହାଦ୍ୱାରା ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ, ଗୁଜରାଟର ପଟେଲ, ହରିୟାଣାର ଜାଟ ଏବଂ କର୍ଣ୍ଣାଟକର ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାର ଏକ ସୁଯୋଗ ସୃଷ୍ଟି ହୋଇପାରି। ଏହି ସମସ୍ତ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସଂରକ୍ଷଣ ଦାବି କରିଆସୁଥିଲେ। ତେବେ ସୁପ୍ରିମକୋର୍ଟ ଏହି ଦାବି ଉପରେ ରୋକ ଲଗାଇ ଆସୁଥିଲେ।

Share