ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ

ଯାଜପୁରରୋଡ୍‌,୧୨ା୭(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌରପରିଷଦ ୧ନଂ. ୱାର୍ଡ ଯୋଡ଼ାବର ନିକଟରେ ଏକ କମ୍ପାନୀର ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ କରାଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ ହାଇଓ୍ବାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ସଂସ୍ଥା ପରିବହନ ସାମଗ୍ରୀର ଆକ୍ଷରିକ ଟିକସଠରୁ କମ ଦେଖାଇ ଜିଏସଟି ଫାଙ୍କୁଥିବା ଜଣାପଡ଼ିଛି। ଫଳରେ ଯାଜପୁରରୋଡ୍‌ ଜିଏସ୍‌ଟି ଅଧିକାରୀ ପହଞ୍ଚି ସଂସ୍ଥା ଉପରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, ଯୋଡ଼ାବର ନିକଟରେ ଏକ ରେଳ ପ୍ରକଳ୍ପ ରାସ୍ତା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣ ପାଇଁ ଏକ କମ୍ପାନୀକୁ ଠିକା ଦିଆଯାଇଛି। ମାତ୍ର ସମ୍ପୃକ୍ତ ସଂସ୍ଥା ହାଇଓ୍ବା ଯୋଗେ ବିଭିନ୍ନ ସାମଗ୍ରୀ ଯୋଡ଼ାବର ଗ୍ରାମ ରାସ୍ତା ଦେଇ ପରିବହନ କରୁଛି। ଫଳରେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ସମ୍ପର୍କରେ ଗ୍ରାମବାସୀ ଜିଲାପାଳଙ୍କ ଜନଜଣାଶୁଣାଣି ଶିବିରରେ ଅଭିଯୋଗ କରିବା ପରେ ଜିଲାପାଳ କମ୍ପାନୀକୁ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଉକ୍ତ ରାସ୍ତା ମରାମତି ପାଇଁ କହିଥିଲେ। ମାତ୍ର ଜିଲାପାଳଙ୍କ ନିର୍ଦ୍ଦେଶକୁ ଉକ୍ତ ଠିକା ସଂସ୍ଥା ଫୁ’ କରି ହାଇଓ୍ବାରେ ଓଭରଲୋଡ୍‌ ସାମଗ୍ରୀ ପରିବହନ ଜାରିରଖିଛି। ଏବେ ବର୍ଷା ଦିନ ହୋଇଥିବାରୁ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ପାଣି ଜମିରହିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ସ୍କୁଲ୍‌, କଲେଜ ପିଲା ଏବଂ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗୁରୁବାର ଯୋଡ଼ାବର ଗ୍ରାମବାସୀ କମ୍ପାନୀର ଗାଡ଼ିଗୁଡିକୁ ଅଟକାଇଥିଲେ। ଗାଡିଗୁଡ଼ିକରେ କ୍ଷମତାଠାରୁ ଅଧିକ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଯାଜପୁର ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳ ଯାଜପୁର ପରିବହନ ଅଧିକାରୀଙ୍କୁ ଜଣାଇବାକୁ କହିଥିଲେ। ଖବର ପାଇ ଯାଜପୁରରୋଡ୍‌ ପୋଲିସ ଓ ଯାଜପୁର ପରିବହନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ। ଗାଡ଼ିଗୁଡ଼ିକର ଆବଶ୍ୟକୀୟ କାଗଜପତ୍ର ନ ଥିବାବେଳେ ଓଭରଲୋଡ୍‌ ଥିବା ଦେଖିବାକୁ ମିଳିଥିଲା।