Categories: ଜାତୀୟ

ସେକ୍ସ ସିନ୍‌ ବେଳେ ଗୀତା ପାଠକୁ ବିରୋଧ

ନୂଆଦିଲ୍ଲୀ,୨୪ା୭: ବିଶ୍ୱର ପ୍ରଥମ ପରମାଣୁ ବୋମାର ମାଷ୍ଟରମାଇଣ୍ଡ ରବର୍ଟ ଓପେନ୍‌ହାଇମରଙ୍କ ବାୟୋପିକ୍‌ (ଆତ୍ମଜୀବନୀ ଚଳଚ୍ଚିତ୍ର) ଶୁକ୍ରବାର ରିଲିଜ୍‌ ହୋଇଛି। ଏହା ଭଲ ରେଟିଂ ହାସଲ କରିବା ସହ ବକ୍ସ ଅଫିସ୍‌ରେ ଚହଳ ସୃଷ୍ଟି କରିଛି। କିନ୍ତୁ ଏହାର ଏକ ବିବାଦୀୟ ସିନ୍‌ ଅନେକ ଭାରତୀୟ ଦର୍ଶକଙ୍କୁ ମର୍ମାହତ କରିଛି। ଖ୍ରୀଷ୍ଟୋଫର ନୋଲନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଓପେନ୍‌ହାଇମର’ରେ ଏକ ସେକ୍ସ ସିନ୍‌ରେ ଭଗବଦ୍‌ ଗୀତା ପଢ଼ିବା ନେଇ ‘ସେଭ୍‌ କଲ୍‌ଚର ସେଭ୍‌ ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ବିରୋଧ କରାଯାଇଛି।

ରବର୍ଟ ଓପେନ୍‌ହାଇମର ଭୂମିକାରେ ଅଭିନୟ କରୁଛନ୍ତି ସିଲିୟନ ମର୍ଫି। ଫିଲ୍ମର ଏକ ଦୃଶ୍ୟରେ ଜଣେ ମହିଳା ଓପେନ୍‌ହାଇମରଙ୍କ ସହ ସମ୍ଭୋଗ କରୁଛନ୍ତି। ଏହି ସମୟରେ ମହିଳା ଜଣକ ଓପେନ୍‌ହାଇମରଙ୍କ ଦ୍ୱାରା ବଡ଼ପାଟିରେ ଭଗବଦ୍‌ ଗୀତା ପଢ଼ାଉଥିବା ଦେଖିବାକୁ ମିଳିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୁରନ୍ତ ଏହାର ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫାଉଣ୍ଡେଶନ ପକ୍ଷରୁ ଦାବି କରାଯାଇଛି। ଫାଉଣ୍ଡେଶନ ପକ୍ଷରୁ ହୋଇଥିବା ଏହି ଅଭିଯୋଗମୂଳକ ପ୍ରେସ୍‌ ବିଜ୍ଞପ୍ତିକୁ ଭାରତ ସରକାରଙ୍କ ସୂଚନା କମିଶନର ଉଦୟ ମହୁରକର ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ଯେ, ଏହି ଦୃଶ୍ୟ ଥିବା ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) କିଭଳି ମଞ୍ଜୁରୀ ଦେଇଛି। ଏଥିରେ ଯେକେହି ବି ହତବାକ୍‌ ହେବ ବୋଲି ସେ ଦର୍ଶାଇଛନ୍ତି।

ଏହା ଖ୍ରୀଷ୍ଟୋଫର ନୋଲନଙ୍କ ପ୍ରଥମ ଫିଲ୍ମ ଭାବେ ‘ଆର୍‌’ ରେଟିଂ ପାଇଛି। ଅର୍ଥାତ୍‌ ଏହା ପ୍ରତିବନ୍ଧିତ। ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ। କୌଣସି ଫିଲ୍ମରେ କଠୋର ଭାଷା, ତୀବ୍ର ଗ୍ରାଫିକ ହିଂସା, ଡ୍ରଗ ଅପବ୍ୟବହାର ଏବଂ ନଗ୍ନତା ରହିଥିଲେ ତାହାକୁ ‘ଆର’ ରେଟିଂ ମିଳିଥାଏ। କିନ୍ତୁ ଷ୍ଟ୍ୟୁଡିଓରେ ସେକ୍ସ ସିନ୍‌ର ଅବଧିକୁ କାଣ୍ଟଛାଣ୍ଟ କରାଯିବା ପରେ ଭାରତୀୟ ସେନ୍‌ସର ବୋର୍ଡ ଏହି ଫିଲ୍ମକୁ ‘ୟୁ/ଏ’ ରେଟିଂ ଦେଇଛି, ଯାହାକୁ ପିଲାଙ୍କଠାରୁ ବୟସ୍କଙ୍କ ଯାଏ ଦେଖିପାରିବେ। ଅନ୍ୟପକ୍ଷରେ ଫିଲ୍ମ ସମୀକ୍ଷକମାନେ ଏହାକୁ ଭଲ ରେଟିଂ ଦେଇଛନ୍ତି। ଏନ୍‌ଡିଟିଭି ସିନେ ସମୀକ୍ଷକ ସାଇବାଲ୍‌ ଚାଟାର୍ଜୀ ୫ ତାରକା ମଧ୍ୟରୁ ୪.୫ ତାରକା ଦେଇଛନ୍ତି।

Share