ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ରାଜପଥରେ ବସିଲେ ଗ୍ରାମବାସୀ

ମୋରଡା,୨୧।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ଜଣାଇ ଶୁକ୍ରବାର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ସକାଳ ୮ଟାରୁ ଆନ୍ଦୋଳନକାରୀ ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥର କଲରାଫୁଲିଆ ଛକ ନିକଟରେ ରାସ୍ତା ଅବରୋଧ କରି ବସି ରହିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ବେତନଟୀ ଥାନା ଓ ବଡ଼ଜାମବଣି ଫାଣ୍ଡି ପୋଲିସ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମୋରଡ଼ା ତହସିଲଦାର ଅନନ୍ତ କୁମାର ହଁାସଦା ଧାରଣାସ୍ଥଳରେ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ।

ସୂଚନାଯୋଗ୍ୟ, ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ବିରୋଧ କରି ଡାକୋଇ ଗ୍ରାମବାସୀ ପୂର୍ବରୁ ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ କିଛିଦିନ ତଳେ ସେମାନେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଦେଇଥିଲେ। ତଥାପି ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ରାସ୍ତା ଅବରୋଧ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।