ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା

ବାଲେଶ୍ୱର ଅଫିସ,୨୮ା୩: ରେଳ ଷ୍ଟେଶନ ପରିସରରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ନେଇ ବାଲେଶ୍ୱର ଜିଆର୍‌ପି ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ଭଦ୍ରକ ଅଞ୍ଚଳ ଆନନ୍ଦ ଚନ୍ଦ୍ର ଜେନା ନିଜକୁ ଏନ୍‌ଏମ୍‌ଏସ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ଖବରଦାତା ପରିଚୟ ଦେଇ ବାଲେଶ୍ୱର ଷ୍ଟେଶନରେ ଯାତ୍ରୀ ପ୍ରତୀକ୍ଷାଳୟରେ ଯୁବତୀ ଜଣକ ଏକା ବସିଥିବା ଦେଖି ଅଶ୍ଳୀଳ ଇଙ୍ଗିତ କରିଥିଲେ। ଆନନ୍ଦଙ୍କ ଏଭଳି ଆଚରଣ ଦେଖି ଓଡ଼ିଆ ବୁଝି ପାରୁ ନ ଥିବା ଯୁବତୀ ଏକ ଭିଡିଓ ଉତ୍ତୋଳନ କରିବା ସହ ପରେ ଭୟଭୀତ ହୋଇ ଜିଆରପିଙ୍କ ସହାୟତା ନେଇଥିଲେ। ପରେ ଆନନ୍ଦଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଆରପି ଆନନ୍ଦଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ଅଧିକ ପଚରାଉଚରା ଜାରି ରଖିଛନ୍ତି।