Categories: ଜାତୀୟ

‘ନ୍ୟାୟିକ କାର୍ଯ୍ୟ ଅଟକାଇବା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ, ୧୮ା୭: ଅଦାଲତଗୁଡ଼ିକର ନ୍ୟାୟିକ କାର୍ଯ୍ୟକୁ ଅଟକାଇବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତ ବର୍ଷକ ମଧ୍ୟରେ ବାର୍‌ ଆସୋସିଏଶନଗୁଡ଼ିକ ଯେତେବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି, ସେତେବେଳେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସତ୍ୟପାଠ ଜରିଆରେ ଜଣାଇବା ପାଇଁ ସର୍ବୋଚ୍ଚ ଅଦାଲତ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆର୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲ ଆନ୍ଦୋଳନ ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ହେଉଥିବା ନେଇ ଏନ୍‌ଜିଓ ‘କମନ କଜ୍‌’ ପକ୍ଷରୁ ଅଦାଲତ ଅବମାନନା ପିଟିଶନ ଦାଏର ହୋଇଥିଲା। ନ୍ୟାୟିକ ଅଦାଲତର କାର୍ଯ୍ୟକୁ ରୋକାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ କହିଛନ୍ତି। ମାତ୍ରାଧିକ ମାମଲା ଯୋଗୁ ଲୋକେ ଜାମିନ ପାଇପାରୁନାହାନ୍ତି ବୋଲି ଖଣ୍ଡପୀଠ କହିଥିଲେ। କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ଏହାକୁ ଭରଣା କରିବା ଅଦାଲତ ପାଇଁ କଷ୍ଟକର ହୋଇଥାଏ, ଯାହା ବାସ୍ତବ ସମସ୍ୟା। ବିସିଆଇ ଏଥିପାଇଁ ନିୟମାବଳୀ ପ୍ରଣୟନ କରିଥିବା ଏହାର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ମନନ କୁମାର ମିଶ୍ରା ଶୀର୍ଷ ଅଦାଲତଙ୍କୁ କହିଥିଲେ। ଏନ୍‌ଜିଓ ପକ୍ଷର ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ବିସିଆଇ ନିୟମାବଳୀର ନକଲ ସେମାନେ ପାଇନାହାନ୍ତି। ସୋମବାର ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଓକିଲଙ୍କ ଧର୍ମଘଟ ଚାଲିଛି ବୋଲି ଭୂଷଣ କହିଥିଲେ। ଜଷ୍ଟିସ ଗୌରାଙ୍ଗ କାନ୍ତଙ୍କୁ କାଲକାଟା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାର ପ୍ରତିବାଦରେ ଦିଲ୍ଲୀ ହାଇକୋର୍ଟ ବାର୍‌ ଆସୋସିଏଶନର ଡାକରାରେ ପ୍ରତୀକାତ୍ମକ ଧର୍ମଘଟ କରାଯାଇଥିଲା। ବିସିଆଇ ଚିଠା ନିୟମାବଳୀ ଉପସ୍ଥାପନ ଲାଗି ଚାହିଁବା ସହ ଅଦାଲତ ଏହାକୁ ଆନୁଷ୍ଠାନିକ ଅନୁମୋଦନ କଲେ ନିୟମାବଳୀ ପ୍ରଣୟନ କରାଯିବ ବୋଲି କହିଥିଲେ।

Share