ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡ଼ି ବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡ଼ି ରହୁଛି। ଅଳଭା ଘେରିରୁ ଜଳ ନିଷ୍କାସନ ପାଇଁ ବ୍ରିଟିଶ ଅମଳରୁ ହୋଇଥିବା ସାଇଫନ ଜବରଦଖଲ ହୋଇଯାଇଛି। ଅଳଭାଠାରେ ଥିବା ଜଳ ବିଶୋଧନ କାରଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇ ନ ପାରି ବିଲ ବାଡିରେ ମାଡୁଛି। ଫଳରେ ଅଳଭା ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାର ନାହଁି ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସଦାବେଳେ ବାଡିବଗିଚା ସନ୍ତସନ୍ତିଆ ରହିଥିବାରୁ ସଂକ୍ରମଣ ଆଶଙ୍କା ରହୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲ କି ଜଳନିକାଶ ବିଭାଗ କର୍ଣ୍ଣପାତ କରୁ ନାହାନ୍ତି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଆଇନଜୀବୀ ସୁଶୀଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୬ ନଂ. ଓାର୍ଡ ଅଳଭା ଗ୍ରାମ ଚତୁଃପାର୍ଶ୍ୱରେ ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ଘେରିବନ୍ଧ ଓ ଗୋବରୀ କେନାଲ ଏବଂ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଘେରି ରହିଛି। ଏହି ଘେରିର ଉଦ୍ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ବ୍ରିଟିଶ ସରକାର ଗୋବରୀ କେନାଲ ତଳେ ଏକ ସାଇଫନ ନିର୍ମାଣ କରିଥିଲେ। ଉଦ୍ବୃତ୍ତ ଜଳ ଏହି ସାଇଫନରେ ନୟନ ଯୋରି ଦେଇ ନିଷ୍କାସିତ ହେଉଥିଲା। ମାତ୍ର କିଛିବର୍ଷ ହେବ କେତେଜଣ ବ୍ୟକ୍ତି ଉକ୍ତ ଯୋର ଉପରେ ମାଟି ପକାଇ ଘର ନିର୍ମାଣ କରି ରହୁଥିବାରୁ ସାଇଫନ ଜଳ ନିଷ୍କାସନ ପଥ ବନ୍ଦ ପଡିଛି। ଫଳରେ ଗ୍ରାମର ବହୁ ଏକର ଜମିବାଡ଼ି ପାଣିରେ ବୁଡ଼ି ନଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ୍ ଗୋଲେଖ ଜେନା କହିଛନ୍ତି, ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ଜବରଦଖଲ ହୋଇଗଲାଣି। ଫଳରେ ଉଦ୍ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ରାଜ୍ୟ ସରକାର ୨୦୧୮-୨୦୧୯ରେ ଏହି ଘେରି ମଧ୍ୟରେ ଜଳ ବିଶୋଧନ କାରଖାନା ନିର୍ମାଣ କରିଛନ୍ତି। ସେଠାରୁ ବାହାରୁଥିବା ବର୍ଜ୍ୟଜଳ ନିଷ୍କାସନ ହୋଇ ନ ପାରି ବିଲବାଡିରେ ମାଡୁଛି। ବର୍ଷାଦିନେ ସାଇଫନରେ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ବର୍ଷା ଜଳ ଘରେ ପଶୁଛି। ଖରାଦିନିଆ ପନିପରିବା ଫସଲ ହେଉନାହଁି। ବର୍ଷାଦିନରେ ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ଯୋର ଜବରଦଖଲରେ ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ। ସାମାଜିକ କର୍ମୀ ବିଜ୍ଞାନ ମିହିର ଜେନା କହିଛନ୍ତି, ପଟ୍ଟାମୁଣ୍ଡାଇ ସଦର ରାଜସ୍ବ ଅଧିକାରୀଙ୍କ ଅଧୀନ କେନାଲ ବନ୍ଧ ରାସ୍ତାପାର୍ଶ୍ୱରେ ଥିବା ଜଳ ନିଷ୍କାସନ ନୟନଯୋରିକୁ ବହୁ ଅବରୋଧକାରୀ ଅବରୋଧ କରି ରଖିଛନ୍ତି। ଅଳଭା ଗ୍ରାମର ଅବ୍ୟବହୃତ ଜଳ ଏବଂ ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ୱେଷ୍ଟେଜ ପାଣି ସାଇଫନ ଦେଇ ନିଷ୍କାସିତ ହୋଇ ନ ପାରି ବିଲବାଡିରେ ଜମୁଛି। ଅଳ୍ପ ବର୍ଷାରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ବର୍ଷାଦିନେ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡ଼ିକୁ କୋମଳମତି ପିଲାମାନେ ଶିକ୍ଷାଦାନ ପାଇଁ ପାଣିରେ ପଶି ଯାଉଛନ୍ତି। ସବୁବେଳେ ପାଣି ଜମି ସନ୍ତସନ୍ତିଆ ରହିବା ଫଳରେ ବହୁ ସମୟରେ ଲୋକେ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ନୟନଯୋରିକୁ ଜବରଦଖଲକାରୀଙ୍କ କବଳରୁ ହଟାଇବା ପାଇଁ ଅଳଭା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳନିକାଶ ବିଭାଗ ଯନ୍ତ୍ରୀ ନୀହାର ରାଉତରାୟଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବା ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।


