ମୁମ୍ବାଇ,୧୮ା୬: ମୁମ୍ବାଇ ନର୍ଥ ଓ୍ବେଷ୍ଟ ଆସନରୁ ଶିବସେନା (ଶିନ୍ଦେ) ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୪୮ ଭୋଟ ବ୍ୟବଧାନରେ ଜିତିଥିବା ରବୀନ୍ଦ୍ର ଓ୍ବାଇକର ଭୋଟଗଣତିରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଜୁନ୍ ୪ରେ ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ରବୀନ୍ଦ୍ରଙ୍କ ଶାଳକ ମଙ୍ଗେଶ ପାଣ୍ଡିଲକର ଜଣେ ନିର୍ବାଚନ ଅଧିକାରୀଙ୍କଠାରୁ ମୋବାଇଲ୍ ଫୋନ୍ ନେଇ ସେଥିରେ ସେ ଓ୍ବାନ୍ ଟାଇମ୍ ପାସ୍ଓ୍ବାର୍ଡ (ଓଟିପି) ବାହାର କରି ଇଭିଏମ୍କୁ ଖୋଲିଥିଲେ। ମଙ୍ଗେଶ ଇଭିଏମ୍ରେ ମତଦାନ ଏପରସେପଟ କରିବାରୁ ତାଙ୍କ ଭିଣୋଇ ୪୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିପାରିଥିବା କୁହାଯାଉଛି। ଓ୍ବାଇକରଙ୍କ ବିଜୟ ସନ୍ଦେହ ଘେରରେ ଥିବାରୁ ଏମ୍ପି ଭାବେ ତାଙ୍କ ଶପଥ ଗ୍ରହଣକୁ ରୋକାଯିବା ଆବଶ୍ୟକ ବୋଲି ଶିବସେନା(ୟୁବିଟି) ଏମ୍ପି ସଞ୍ଜୟ ରାଉତ କହିଛନ୍ତି। ଓ୍ବାଇକରଙ୍କ ବିରୋଧରେ ଶିବସେନା(ୟୁବିଟି) ମାମଲା ଦାଏର କରିବ ବୋଲି ଏହାର ନେତା ଅନିଲ ପ୍ରଣବ କହିଛନ୍ତି। ଏଥିସହିତ ତାଙ୍କୁ ବିଜୟୀ ଘୋଷଣା କରିଥିବା ରିଟର୍ନିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସେ ସୂଚନା ଦେଇଛନ୍ତି।