Categories: ଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ କିଟ୍‌, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା ଓ ଗଞ୍ଜାମ ଦଳ ବିଜୟ ହାସଲ କରିଛି। ରାଉରକେଲା ଅଧିନାୟକ ହେମନ୍ତ ନାୟକ ବିସ୍ଫୋରକ ଦ୍ୱିଶତକ ହାସଲ କରି ଚର୍ଚ୍ଚାରେ ରହିଥିବାବେଳେ ଗଞ୍ଜାମର ଓମ୍‌ ଟି. ମୁଣ୍ଡେ ୬ ଉଇକେଟ ସଫଳତା ପାଇଛନ୍ତି।
ରେଭେନ୍‌ଶା-୧ ଗ୍ରାଉଣ୍ଡରେ ଗଞ୍ଜାମ ୩ ଉଇକେଟରେ ଖୋର୍ଦ୍ଧାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଖୋର୍ଦ୍ଧା ୨୩.୨ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଦେବବ୍ରତ ପ୍ରଧାନ ସର୍ବାଧିକ ୪୨ ରନ କରିଥିବାବେଳେ ବିପକ୍ଷ ଦଳର ମୁଣ୍ଡେ ୬.୨-୨-୨୩-୬ ବୋଲିଂ ସଫଳତା ପାଇଥିଲେ। ଆଶିଷ ଦଳେଇଙ୍କୁ ୨ଟି ଉଇକେଟ ମିଳିଥିଲା। ୧୧୬ ରନ ବିଜୟ ଲକ୍ଷ୍ୟ ନେଇ ଗଞ୍ଜାମ ୪୫ ଓଭରରେ ୭ ଉଇକେଟ ହରାଇ ୧୧୯ ରନ ସଂଗ୍ରହ କରି ନେଇଥିଲା। ତାଜ୍‌ ବେଗ୍‌ ସର୍ବାଧିକ ୨୬ ରନ କରିଥିଲେ। ଖୋର୍ଦ୍ଧାର ସତ୍ୟ ଲେଙ୍କା, ଜାନ୍‌ ହୁସେନ ଓ ତାରିଣୀ ନାୟକ ୨ଟି ଲେଖାଏ ଉଇକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ରାଉରକେଲା ୩୦୮ ରନରେ ରାୟଗଡ଼ାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଉରକେଲା ୫୦ ଓଭରରେ ୩ ଉଇକେଟ ହରାଇ ୩୭୩ ରନ କରିଥିଲା। ହେମନ୍ତ ୧୪୯ଟି ବଲ୍‌ ଖେଳି ୨୩ ଚୌକା ଓ ୬ ଛକା ସହାୟତାରେ ୨୦୯ ରନ କରି ବଡ଼ ସ୍କୋର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସ୍ନେହାଲ ସାମନ୍ତରାୟ ୮୭ ରନ କରିଥିଲେ। ବିପକ୍ଷ ଦଳର ହର୍ଷଦ ବୁଙ୍ଗା ୨ଟି ଉଇକେଟ ନେଇଥିଲେ। ବୃହତ୍‌ ସ୍କୋରର ପିଛା କରି ରାୟଗଡ଼ା ୨୫ ଓଭରରେ ୯ ଉଇକେଟ ହରାଇ ମାତ୍ର ୬୫ ରନ କରିପାରିଥିଲା। ବିଜୟୀ ଦଳର ବସନ୍ତ ଏସ୍‌. ରାଠୋର ୫ ଉଇକେଟ ସଫଳତା ପାଇଥିବାବେଳେ ଗୌତମ ସୁନା ୨ଟି ଉଇକେଟ ନେଇଥିଲେ। ନିମପୁର ପଡ଼ିଆରେ ଝାରସୁଗୁଡ଼ା ୧୦୨ ରନରେ ନୟାଗଡ଼କୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡ଼ା ୫୦ ଓଭରରେ ୯ ଉଇକେଟ ହରାଇ ୨୪୬ ରନ କରିଥିଲା। ଧନଞ୍ଜୟ ଯାଦବ ୯୫ ରନରେ ଆଉଟ ହୋଇ ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ପ୍ରତିପକ୍ଷ ଦଳର ସଚିନ ଶତପଥୀ ୩ଟି ଓ ଅଙ୍କିତ ଅରୁନବ ୨ଟି ଉଇକେଟ ନେଇଥିଲେ। ଜବାବରେ ନୟାଗଡ଼ ୪୫.୧ ଓଭରରେ ୧୪୪ ରନ କରି ଅଲଆଉଟ ହୋଇଥିଲା। ବିଜୟୀ ଦଳର ଧନଞ୍ଜୟ ୩୦ ରନରେ ୪ଟି, ସୁଜିତ ଠାକୁର ୩ଟି ଓ ଓମ୍‌ କୁମାର ୨ଟି ଉଇକେଟ ନେଇଥିଲେ।
ରେଭେନ୍‌ଶା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୧୮୯ ରନରେ ବୌଦ୍ଧକୁ ହରାଇଛି। ବୌଦ୍ଧ ଫିଲ୍ଡିଂ ନିଷ୍ପତ୍ତି ନେବାରୁ କେନ୍ଦୁଝର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ଉଇକେଟ ହରାଇ ୨୭୦ ରନ କରିଥିଲା। ଦଳ ପକ୍ଷରୁ ଋତୁରାଜ ମହାନ୍ତି ୮୦ (୧୦ ଚୌକା, ୧ ଛକା) ରନରେ ଅପରାଜିତ ରହିଥିବାବେଳେ ଅଭିଷେକ ହୋତା ୬୬ ଓ ବିପୁଲ ରାଉତ ୫୧ ରନ କରିଥିଲେ। ବିପକ୍ଷ ବୋଲର ଶୋଭନଦେବ ବେହେରା ଓ ଲୋକେଶ ସାହୁ ୨ଟି ଲେଖାଏ ଉଇକେଟ ନେଇଥିଲେ। ବୌଦ୍ଧ ୩୫.୧ ଓଭରରେ ୯ ଉଇକେଟ ହରାଇ ୮୧ ରନ କରିପାରିଥିଲା। ବିଜୟୀ ଦଳର ଆଶୁତୋଷ ରାୟ ୩ଟି ଉଇକେଟ ନେଇଥିଲେ। ବିଓଏସ୍‌ଇ ଗ୍ରାଉଣ୍ଡରେ ସୁନ୍ଦରଗଡ଼ ୧୮ ରନରେ ମାଲକାନଗିରିକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ସୁନ୍ଦରଗଡ଼ ୨୫.୩ ଓଭରରେ ୧୦୬ ରନରେ ଅଲଆଉଟ ହୋଇଥିଲା। ଦେବ ମିଶ୍ର ୪୧ ରନ କରିଥିବାବେଳେ ବିପକ୍ଷ ବୋଲର ପ୍ରତ୍ୟୁଷ ପୁରୋହିତ ୪ଟି ଏବଂ ଦଶୁ ସାନ୍ଧି ଓ ଷ୍ଟେଲନ ଖୋସଲା ୨ଟି ଲେଖାଏ ଉଇକେଟ ପାଇଥିଲେ। ବିଜୟ ଲକ୍ଷ୍ୟ ସହଜ ଥିଲେ ହେଁ ମାଲକାନଗିରି ୨୧.୫ ଓଭରରେ ୮୮ ରନରେ ସୀମିତ ରହିଥିଲା। ପ୍ରତ୍ୟୁଷ ୪୫ ରନ କରିଥିଲେ। ବିଜୟୀ ଦଳର ରାହୁଲ ରୟ ୪ଟି, ଆକାଶ ଶେଖ୍‌ ୩ଟି ଏବଂ ଅଭିଷେକ ସିଂ ୨ଟି ଉଇକେଟ ନେଇଥିଲେ। ଡ୍ରିମ୍ସ ପଡ଼ିଆରେ କିଟ୍‌ ୬୯ ରନରେ ପାରାଦୀପକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଟ୍‌ ୫୦ ଓଭରରେ ୯ ଉଇକେଟ ହରାଇ ୨୩୯ ରନ କରିଥିଲା। ରମଣୀ ଜେନା ସର୍ବାଧିକ ୪୯ ଓ ନବିଦତ୍ୟ ମଲିକ ୪୦ ରନ କରିଥିଲେ। ପରାଜିତ ଦଳର ସୁମିତ ପ୍ରସାଦ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ୨୪୦ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପାରାଦୀପ ୪୫.୩ ଓଭରରେ ୧୭୦ ରନରେ ଅଲଆଉଟ ହୋଇଥିଲା। ଉଦୟ ସବ୍ୟସାଚୀ ଜଟ ସର୍ବାଧିକ ୬୫ ରନ କରିଥିଲେ। ବିଜୟୀ ଦଳର ରିଶି ତ୍ରିପାଠୀ, ସରୋଜ ଦଳାଇ, ଗୌରିଶ ପାତ୍ର ୨ଟି ଲେଖାଏ ଉଇକେଟ ନେଇଥିଲେ।

Share