Categories: ଜାତୀୟ

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେହିପରି ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ୪ଟି ଆସନକୁ ଦଳଗୁଡ଼ିକ ପୂର୍ବଭଳି ନିଜ ଦଖଲରେ ରଖିବାକୁ ସକ୍ଷମ ହୋଇଛନ୍ତି। କହିବାକୁ ଗଲେ ମୋଟ ୧୦ ଆସନ ମଧ୍ୟରୁ ୬ଟିକୁ ହାତଛଡ଼ା କରିଛନ୍ତି ଏସ୍‌ପି, ଏଏପି, ଜେଭିଏମ୍‌, ସିପିଏମ୍‌ ଏବଂ ଭାଜପା। ଭାଜପା ୨ ଏବଂ ଶିରୋମଣି ଅକାଳୀ ଦଳ(ଏ) ଗୋଟିଏ ଲୋକ ସଭା ଆସନ ଦଖଲ କରିଛନ୍ତି। ୭ ବିଧାନସଭା ଆସନ ମଧ୍ୟରୁ ଭାଜପା ୩, କଂଗ୍ରେସ ୨ ଏବଂ ଏଏପି, ଓ୍ବାଇଏସ୍‌ଆର୍‌ସି ଗୋଟିଏ ଲେଖାଏ ଆସନ ଅକ୍ତିଆର କରିଛନ୍ତି।

ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଗଡ଼ କୁହାଯାଉଥିବା ସଙ୍ଗ୍ରୁର ଲୋକ ସଭା ଆସନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କ ପରାଜୟ ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଉକ୍ତ ଆସନରେ ଏସ୍‌ଏଡି(ଅମୃତସର)ର ନେତା ସିମ୍ରନ୍‌ଜିତ ସିଂ ମାନ୍‌ ଏଏପିର ଗୁରମୈଲ ସିଂଙ୍କଠାରୁ ୫,୮୨୨ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ସିମ୍ରନ୍‌ଜିତଙ୍କୁ ୨,୫୩,୧୫୪ ଭୋଟ ମିଳିଥିବାବେଳେ ଏଏପି ପ୍ରାର୍ଥୀ ସିଂ ୨,୪୭,୩୩୨ ଭୋଟ ପାଇଛନ୍ତି। ଭଗଓ୍ବନ୍ତ ମାନ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ସଙ୍ଗ୍ରୁର ଲୋକ ସଭା ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ସେଠାରେ ଉପନିର୍ବାଚନ କରିବାକୁ ପଡ଼ିଥିଲା।

ସେହିପରି ୟୁପିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି)କୁ ଶକ୍ତ ଧକ୍କା ଲାଗିଛି। ୟୁପିର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନକୁ ଏସ୍‌ପି ହାତରୁ ଭାଜପା ଛଡ଼ାଇ ନେଇଛି। ଦଳ ଅଧ୍ୟକ୍ଷ ଅଖିଳେଶ ଗତ ବିଧାନସଭା ନିର୍ବାଚନରେ ଜିତିବା ପରେ ଆଜମଗଡ଼ ଲୋକ ସଭା ଆସନ ଛାଡ଼ିଥିଲେ। ସେଠାରେ ଭାଜପା ପ୍ରାର୍ଥୀ ଦିନେଶ ଲାଲ୍‌ ଯାଦବ ବିଜୟୀ ହୋଇଛନ୍ତି। ଉକ୍ତ ଆସନରେ ଏସ୍‌ପି ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଏସ୍‌ପିର ଅନ୍ୟତମ ଗଡ଼ କୁହାଯାଉଥିବା ରାମପୁର ଆସନରେ ଭାଜପା ପ୍ରାର୍ଥୀ ଘନଶ୍ୟାମ ସିଂ ଲୋଧି ବିଜୟୀ ହୋଇଛନ୍ତି। ସେ ଏସ୍‌ପି ପ୍ରାର୍ଥୀ ମହମ୍ମଦ ଅସିମ ରାଜାଙ୍କୁ ୪୨,୦୦୦ରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ଏସ୍‌ପି ନେତା ଆଜମ ଖାନ୍‌ ୟୁପି ବିଧାନସଭାକୁ ନିର୍ବାଚିତ ହେବା ପରେ ରାମପୁର ଆସନରୁ ଇସ୍ତଫା ଦେଇଥିଲେ।
ଏହା ବ୍ୟତୀତ ୪ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପାକୁ ୩ ଆସନ ମିଳିଥିବାବେଳେ କଂଗ୍ରେସକୁ ୨, ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଗୋଟିଏ ଏବଂ ଏଏପିକୁ ଗୋଟିଏ ଆସନ ମିଳିଛି। ତ୍ରିପୁରାର ୪ ଆସନରୁ ଭାଜପା ୩ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ଆସନ କଂଗ୍ରେସକୁ ଯାଇଛି। ମୁଖ୍ୟମନ୍ତ୍ରୀ ମାନିକ ଶାହା ଟାଉନ୍‌ ବର୍ଦୋଓ୍ବାଲି ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶିଷ କୁମାର ଶାହାଙ୍କଠାରୁ ୬,୧୦୪ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସିପିଏମ୍‌ର ସମର୍ଥନ ଯୋଗୁ କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟ ବର୍ମନ ଅଗରତାଲା ଆସନରେ ବିଜୟୀ ହୋଇଥିବା କୁହାଯାଉଛି। ଏହା ବ୍ୟତୀତ ଯୁବରାଜନଗର ଆସନରେ ଭାଜପା ପ୍ରାର୍ଥୀ ମାନିଲା ଦେବନାଥ ଏବଂ ସୁରନା ଆସନରେ ଭାଜପାର ସ୍ବପ୍ନ ଦାସ ପାଲ୍‌ ବିଜୟୀ ହୋଇଛନ୍ତି।
ଆନ୍ଧ୍ରପ୍ରଦେଶର ଆତ୍ମାକୁର ଆସନରେ ହୋଇଥିବା ଉପନିର୍ବାଚନରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପ୍ରାର୍ଥୀ ମେକାପତି ବିକ୍ରମ ରେଡ୍ଡୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଦିଲ୍ଲୀର ରାଜିନ୍ଦର ନଗର ଆସନରୁ ଏଏପି ପ୍ରାର୍ଥୀ ଦୁର୍ଗେଶ ପାଠକ, ଝାଡ଼ଖଣ୍ଡର ମନ୍ଦର ଆସନରୁ କଂଗ୍ରେସର ଶିଳ୍ପୀ ନେହା ତୀର୍କି ବିଜୟୀ ହୋଇଛନ୍ତି।

Share