କେନାଲ ବନ୍ଧରେ ଜବରଦଖଲକାରୀଙ୍କ ବାଡ଼

ପୁରୀ ଅଫିସ,୩୧ା୮: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଅନେକ ଲୋକ କୃଷିର ବିକାଶରେ ବାଧକ ସାଜୁଛନ୍ତି। ବ୍ୟକ୍ତିଗତ ଫାଇଦା ପାଇଁ ସେମାନେ ସାମୂହିକ ସ୍ବାର୍ଥକୁ ପ୍ରତିରୋଧ କରୁଛନ୍ତି। ଜଣେ ବ୍ୟକ୍ତି କେନାଲ ବନ୍ଧ ଉପରେ ବାଡ଼ ପକାଇବା ସହ ଚାଷୀଙ୍କୁ ସେମାନଙ୍କ ଜମିକୁ ଯିବା ପାଇଁ ବାଟ ଛାଡୁନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଶେଷରେ ଜିଲାପାଳଙ୍କୁ ଗୁହାରି କରିଛନ୍ତି ପୁରୀ ସଦର ବ୍ଲକର ରୁଅ ଗ୍ରାମର ଚାଷୀ।
ଜିଲାପାଳଙ୍କୁ ଦେଇଥିବା ଏକ ପତ୍ରରେ ଚାଷୀମାନେ ଦର୍ଶାଇଛନ୍ତି ଯେ, ସାକ୍ଷୀଗୋପାଳ ଜଳସେଚନ ବିଭାଗ ଅଧୀନ ପ୍ରତାପରାମଚନ୍ଦ୍ରପୁର (ପାଟେଳି) ସେକ୍ସନ ରୁଆ ମୁଖ୍ୟ କେନାଲ (ପଶ୍ଚିମ ପଟ)ଠାରୁ ନୂଆ ଜଗନ୍ନାଥ ସଡ଼କ ପର୍ଯ୍ୟନ୍ତ ମାଇନର କେନାଲ ପଶ୍ଚିମ ପାର୍ଶ୍ୱରେ ପ୍ରାୟ ୨୫ଏକର ଜଳସେଚିତ ଚାଷ ଜମି ଅଛି। ଚାଷୀମାନେ ମାଇନର କେନାଲ ଗଠନ ପରଠାରୁ ଚାଷ ପାଇଁ ଏହି କେନାଲ ବନ୍ଧ ଉପରେ ହଳ, ଲଙ୍ଗଳ, ଟ୍ରାକ୍‌ଟର ସହିତ ଉତ୍ପାଦିତ ନେବା ଆଣିବା କରିଥାନ୍ତି। ସେମାନଙ୍କ ଜମିକୁ ଏହା ଏକମାତ୍ର ବାଟ। ଅନ୍ୟ କୌଣସି ବାଟରେ ଜମିକୁ ହଳ, ଲଙ୍ଗଳ, ଟ୍ରାକ୍‌ଟର ନେବା ଆଣିବା କରିବା ସୁବିଧା ନାହିିଁ। ମାତ୍ର କିଛିଦିନ ହେବ ରୁଆ ଗ୍ରାମର ଜଣେ ବ୍ୟକ୍ତି ଏହି କେନାଲ ବନ୍ଧ ଉପରେ ବେଆଇନ ଭାବେ ବାଡ଼ ପକାଇଛନ୍ତି। ଏହାକୁ ଜବରଦଖଲ କରି କୋଠାଘର ନିର୍ମାଣ ପାଇଁ ମସୁଧା ଚଳାଇଥିବା ସମ୍ପୃ୍‌କ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଚାଷୀମାନେ ପ୍ରଥମେ ସାକ୍ଷୀଗୋପାଳ ଜଳସେଚନ ବିଭାଗ ଅଫିସରେ ଜଣାଇଥିଲେ। ମାତ୍ର ପଦକ୍ଷେପ ନିଆ ନ ଯିବାରୁ ସେମାନେ ଜିଲାପାଳଙ୍କୁ ଗୁହାରି କରିଥିବା କହିଛନ୍ତି। ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରଘୁନାଥ ସ୍ବାଇଁ କହିଛନ୍ତି, ଅଭିଯୋଗ ପାଇବା ପରେ କେନାଲ ବନ୍ଧରେ ବେଆଇନ ଭାବେ ବାଡ଼ ପକାଇଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି। ତୁରନ୍ତ ସରକାରୀ ଜାଗା ଖାଲି କରିବା ଲାଗି ତାଙ୍କୁ ନୋଟିସ ମାଧ୍ୟମରେ କୁହାଯାଇଛି। ଏଥିସହ ପାଟେଳି ସେକ୍ସନର ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଯେପରି ଶୀଘ୍ର ବାଡ ଉଠାଇବେ ତାହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।