ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଦ୍ୱାରା ଉତ୍ପାଦିତ ଅତିରିକ୍ତ ଉତ୍ତାପର ୯୦ ପ୍ରତିଶତରୁ ଅଧିକ ସମୁଦ୍ର ଦ୍ୱାରା ଶୋଷିତ ହୋଇଥାଏ। ୧୯୫୮ରେ ଆରମ୍ଭ ହୋଇଥିବା ରେକର୍ଡ ବିପଜ୍ଜନକ ଭାବରେ ସମୁଦ୍ରର ତାପମାତ୍ରା ବୃଦ୍ଧି ହେବାକୁ ସୂଚିତ କରୁଛି। ୧୯୯୦ ପରେ ବିଶ୍ୱ ତାପନ ତ୍ୱରାନ୍ବିତ ହେବାରେ ଲାଗିଛି। ମହାସାଗରରେ ଦେଖାଦେଇଥିବା ତାତି ସଙ୍କଟ ଯୋଗୁ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି।
ପୃଥିବୀର ପାଣିପାଗ ଉପରେ ସମୁଦ୍ର ପୃଷ୍ଠର ତାପମାତ୍ରା ପ୍ରମୁଖ ପ୍ରଭାବ ପକାଇଥାଏ। ସମୁଦ୍ର ତାତି ଯୋଗୁ ସାମୁଦ୍ରିକ ଝଡ, ଟାଇଫୁନ ଏବଂ ବାୟୁରେ ଅଧିକ ଆର୍ଦ୍ରତା ସୃଷ୍ଟି ହୋଇଥାଏ। ଯାହାକି ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଉଷ୍ମ ଜଳ ମଧ୍ୟ ବିସ୍ତାରିତ ହୋଇ ସମୁଦ୍ରର ସ୍ତରକୁ ବୃଦ୍ଧି କରି ଉପକୂଳବର୍ତ୍ତୀ ସହରଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଥାଏ।
ବାୟୁମଣ୍ଡଳର ତାପମାତ୍ରା ସହିତ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ତାପମାତ୍ରା ପ୍ରଭାବିତ ହୋଇଥାଏ।
ପରିବେଶବିତ୍ଙ୍କ ଅନୁଯାୟୀ, ପୂର୍ବ-ପଶ୍ଚିମ ଧ୍ରୁବଦ୍ୱୟରେ ପଶ୍ଚିମରେ କେନିଆ, ଇଥିଓପିଆ ଏବଂ ସୋମାଲିଆର ଜଳ ପୂର୍ବ ଇଣ୍ଡୋନେସିଆର ଜଳ ଅପେକ୍ଷା ଥଣ୍ଡା ଅଟେ। ପରିବେଶବିତ୍ମାନେ କହିଛନ୍ତି ଯେ ଯେତେବେଳେ ଜଳର ତାପମାତ୍ରା ବଢ଼େ ଇଣ୍ଡୋନେସିଆ ସମେତ ନିକଟ ଉପକୂଳବର୍ତ୍ତୀ ଦେଶରେ ପ୍ରବଳ ବର୍ଷା ହୁଏ। ଯେତେବେଳେ ଜଳର ତାପମାତ୍ରା ହ୍ରାସ ହୁଏ, ପୂର୍ବ ଆଫ୍ରିକାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଏହି ପ୍ରଭାବ ଯୋଗୁ ପ୍ରାୟ ୧୭ ହଜାର ବର୍ଷ ପୂର୍ବେ ବିଶ୍ୱର ବୃହତ୍ତମ ଭିକ୍ଟୋରିଆ ହ୍ରଦକୁ ସମ୍ପୂର୍ଣ୍ଣ ଶୁଖି ଯାଇଥିଲା ।
ନୂତନ ମହାସାଗରର ଉତ୍ତାପ ବିଶ୍ଳେଷଣ କରୁଥିବା ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ସିଦ୍ଧାନ୍ତ ନେଇଛନ୍ତି ଯେ ମାନବ କାର୍ଯ୍ୟକଳାପ ଦ୍ୱାରା ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପୃଥିବୀର ଶକ୍ତି ଏବଂ ଜଳ ଚକ୍ରକୁ ଗଭୀର ଭାବରେ ବଦଳାଇ ଦେଇଛି । ପୃଥିବୀର ଜଳବାୟୁ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ମିନେସୋଟାସ୍ଥିତ ସେଣ୍ଟ ଥୋମାସ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅଧ୍ୟୟନ ଦଳର ମୁଖ୍ୟ ଜନ ଆବ୍ରାହମ କହିଛନ୍ତି।