Categories: ଖେଳ

ଓସିଏଲ୍‌ ୨୦୨୩: ଜାଗୁଆର୍ସ, ପାନ୍ଥର୍ସ ବିଜୟୀ

ଭୁବନେଶ୍ୱର, ୨୧ା୬(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ୍‌ ଲିଗ୍‌(୨୦୨୩)ର ନବମ ଦିନରେ ବିଜୟୀ ହୋଇଛନ୍ତି ଓଡ଼ିଶା ଜାଗୁଆର୍ସ ଓ ଓଡ଼ିଶା ପାନ୍ଥର୍ସ। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଚିତାସ୍‌କୁ ଓ ଓଡ଼ିଶା ପୁମାସ୍‌କୁ ୬ ଉଇକେଟରେ ହରାଇଛି ଓଡ଼ିଶା ପାନ୍ଥର୍ସ।
ପ୍ରଥମ ମ୍ୟାଚରେ ପପ୍ପୁ ରାୟ(୩/୨୧) ଓ ପ୍ରଶାନ୍ତ ଠକ୍କର(୨/୧୮)ଙ୍କ ଘାତକ ବୋଲିଂ ବଳରେ ଓଡ଼ିଶା ଚିତାସ୍‌ ୧୪.୨ ଓଭରରେ ୬୬ ରନ୍‌ରେ ଅଲଆଉଟ ହୋଇଥିଲା। ଆର୍ଯ୍ୟଶ୍ରୀ ଭଟ୍ଟ ୧୭ ଓ ହର୍ଷିତ ରାଠୋଡ ୧୪ ରନ୍‌ କରିଥିଲେ। ଓଡ଼ିଶା ଜାଗୁଆର୍ସ ୧୦.୨ ଓଭରରେ ଦୁଇ ଉଇକେଟ ହରାଇ ୬୭ ରନ୍‌ କରିଥିଲା। ଘାତକ ବୋଲିଂ ପାଇଁ ପପ୍ପୁ ରାୟଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ଓସିଏ ସଦସ୍ୟ ଶୁଭାଶିଷ ସେନାପତି।
ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ପୁମାସ୍‌ ୧୯.୩ ଓଭରରେ ୧୧୩ ରନରେ ଅଲଆଉଟ ହୋଇଥିଲା। ଅଂଶୁମାନ ମିଶ୍ର ୩୩ ଓ ସାଇଦୀପ ମହାପାତ୍ର ୨୫ ରନ୍‌ କରିଥିଲେ। ବାଦଲ ବିଶ୍ୱାଳ ଓ ଅଭିଷେକ ଯାଦବ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ୫୩ ରନ ବଳରେ ୧୭.୪ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ପାନ୍ଥର୍ସ। ଓସିଏ ସଦସ୍ୟ ଅନୀଲ କୁମାର ବିଶ୍ୱାଳ ସନ୍ଦୀପଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

Share