Categories: ଖେଳ

ଓସିଏଲ୍‌ ୨୦୨୩: ପୁମାସ୍‌, ଚିତାସ୍‌ ବିଜୟୀ

ଭୁବନେଶ୍ୱର, ୧୪ା୬
(ସରୋଜ ଜେନା)
ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)୨୦୨୩ର ଦ୍ୱିତୀୟ ଦିନର ଖେଳରେ ବିଜୟୀ ହୋଇଛନ୍ତି ଓଡ଼ିଶା ପୁମାସ୍‌ ଓ ଓଡ଼ିଶା ଚିତାସ୍‌। ଉଭୟ ମ୍ୟାଚ୍‌ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ଟି ଓଡ଼ିଶା ପୁମାସ୍‌ ଓ ଓଡ଼ିଶା ପାନ୍ଥର୍ସ ମଧ୍ୟରେ ଖେଳା ଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପୁମାସ୍‌ ୧୬ ଓଭରରେ ୮ ଉଇକେଟ ବିନିମୟରେ ୧୩୩ ରନ୍‌ କରିଥିଲା। ସାଇଦୀପ୍‌ ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ବିକ୍ରମ ସାମଲ ଅପରାଜିତ ୨୮ ଓ ଦେବାଶିଷ ୨୭ ରନ୍‌ କରିଥିଲେ। ପାନ୍ଥର୍ସ ପକ୍ଷରୁ ଶୋଭନଦେବ ବେହେରା ୨୩ ରନ୍‌ରେ ୪ ଉଇକେଟ ନେଇଥିଲେ। ୧୩୪ ରନ୍‌ର ପିଛା କରୁଥିବା ପାନ୍ଥର୍ସ ନିର୍ଦ୍ଧାରିତ ୧୬ ଓଭରରେ ୪ ଉଇକେଟ ହରା ୧୨୯ ରନ୍‌ କରିବାରେ ସମର୍ଥ ହୋଇଥିଲା। ମାରୋଜୁ ପ୍ରଶାନ୍ତ ୪୦ ରନ୍‌ କରିଥିବା ବେଳେ ସନ୍ଦୀପ ୩୬ ଓ ଅଭିଶେକ ଯାଦବ ଅପରାଜିତ ୨୯ ରନ୍‌ କରିଥିଲେ। ରାହୁଲ ଚୌଧାରୀ ଦୁଇଟି ଓ ରାକେଶ ପଟ୍ଟନାୟକ ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶା ପୁମାସର ରାହୁଲ ଚୌଧାରୀ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓସିଏ ସଦସ୍ୟ ସୌର୍ଯ୍ୟରଞ୍ଜନ ପରିଜା ତାଙ୍କୁ ପୁରସ୍କୃତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ଟି ଓଡ଼ିଶା ଚିତାସ୍‌ ଓ ଓଡ଼ିଶା ଟାଇଗର୍ସ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟାଇଗର୍ସ ଶୁଭ୍ରାଂସୁ ସେନାପତିଙ୍କ ୫୩ ରନ୍‌ ବଳରେ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ୍‌ କରିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅୟସକାନ୍ତ ସାହୁ ୨୩ ଓ ନିହାର ଭୂୟାଁ ୨୨ ରନ୍‌ କରିଥିଲେ। ଚିତାସ୍‌ ପକ୍ଷରୁ ସୁମିତ ଶର୍ମା ଓ ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଶାସ୍ବତ ମହାନ୍ତିଙ୍କ ୪୯, କିଶାନ ରଥଙ୍କ ୩୧ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୨୨ ରନ୍‌ ବଳରେ ଚିତାସ୍‌ ୧୭ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ସେହିପରି ଓଡ଼ିଶା ଚିତାସ୍‌ର ଶାଶ୍ୱତ ମହାନ୍ତି ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ଦାସଙ୍କଠାରୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ।

Share